୬ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାମ । ଦୟାନଦୀକୁ ଡଙ୍ଗା ଭରସା । ବର୍ଷା ଆସିଲେ ମାଡ଼ି ଆସୁଛି ବିପଦ

277

କନକ ବ୍ୟୁରୋ : ୬ ବର୍ଷ ହେଲା ସରୁନି ପୋଲ ନିର୍ମାଣ । ଡଙ୍ଗାକୁ ଭରସା କରି ଦୟାନଦୀ ପାରି ହେଉଛନ୍ତି ୩୦ ହଜାର ଲୋକ । ଖରା ଦିନେ ଯଥା ତଥା ମାଟି ତିଆରି ରାସ୍ତାରେ ଚଳିଯାଏଁ । ହେଲେ ବର୍ଷା ଆସିଲେ ମାଡି ଆସେ ଦୁଃଖ । କାରଣ ବର୍ଷାରେ ରାସ୍ତା ଧୋଇଯାଏ, ନଦୀରେ ପାଣି ଆସିଯାଏ । ତେଣୁ ଦୟାନଦୀ ପାର ହୋଇ ଯାତାୟତ କରିବା ପାଇଁ ଏମିତି ଡଙ୍ଗାକୁ ଭରସା କରିବାକୁ ପଡେ ।

ବର୍ଷା ଦିନ ଯାକ ଏହି ଡଙ୍ଗା ହିଁ ଗମନାଗମନର ମାଧ୍ୟମ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଠାରୁ ଜୋରକଣି ଯିବା ପାଇଁ ଦୟାନଦୀ ପାର ହେବାକୁ ପଡେ । ଆଉ ନଦୀ ପାର ପାଇଁ ଏହି ଡଙ୍ଗା ହିଁ ଏକମାତ୍ର ଭରସା । ଅନ୍ୟଦିନରେ ଏକ ଅସ୍ଥାୟୀ ରାସ୍ତାରେ ଖୋର୍ଦ୍ଧା, ଡେଲାଙ୍ଗ ଓ କଣାସ ଭଳି ୩ଟି ବ୍ଲକର ୩୦ ହଜାର ଲୋକ ଯାତାୟତ କରନ୍ତି । ଆଉ ବର୍ଷା ୪ ମାସ ଏମିତି ଦୁର୍ଦଶା ଭୋଗନ୍ତି ଏଠାକାର ଲୋକେ ।

ଏହି ଡଙ୍ଗାରେ ନଦୀ ପାରି ନହେଲେ ଗାଁରୁ ବ୍ଲକ ମୁଖ୍ୟାଳୟ, ସ୍କୁଲ, କଲେଜ, ଡାକ୍ତରଖାନାକୁ ଯିବା ପାଇଁ ୩୦ କିଲୋମିଟର ରାସ୍ତା ବୁଲିବାକୁ ପଡେ । ତେଣୁ ଲୋକେ ବାଧ୍ୟ ହୋଇ ଡଙ୍ଗାରେ ନଦୀପାର ହୁଅନ୍ତି । ସବୁଠାରୁ ବଡ କଥା, ଖୋର୍ଦ୍ଧା, ଡେଲାଙ୍ଗ ଓ କଣାସ ଲୋକଙ୍କ ସମସ୍ୟା ସମାଧାନ ପାଇଁ ୨୦୧୪ ମସିହାରୁ ସାଉରିଆ ପଂଚାୟତ ଘୋରଡିଆରେ ଦୟାନଦୀ ଉପରେ ପୋଲ ନିର୍ମାଣ ଚାଲିଛି । ୨୦୧୭ରେ ନିର୍ମାଣ ସାରିବା ପାଇଁ ନିର୍ଦେଶ ଥିଲା, ହେଲେ ୨୦୨୦ ଅଧା ହେଲାଣି କିନ୍ତୁ ପୋଲ କାମ ସରିବାର ନାଁ ଧରୁନି ।