ବୋହୁର ଦ୍ୱିତୀୟ ବିବାହ କରାଇଲେ ଶାଶୁ, ଶ୍ୱଶୁର ! ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ

52

କନକ ବ୍ୟୁରୋ : ନିଜ ବୋହୁର ଦ୍ୱିତୀୟ ବିବାହ କରାଇଲେ ଶାଶୁ, ଶ୍ୱଶୁର । ପୁଅର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ବୋହୁକୁ ଝିଅପରି ରଖିଥିଲେ । ଅଧିକ ପାଠ ପଢାଇବା ସହ ସ୍ୱାବଲମ୍ବୀ କରିବାକୁ ସ୍ୱତନ୍ତ୍ର ତାଲିମ ଦେଲେ । ଆଉ ଶେଷରେ ଗୋଟିଏ ଉଜ୍ୱଳ ଭବିଷ୍ୟତ ପାଇଁ ଅନ୍ୟ ପୁଅସହ ବିବାହ ବି କରାଇଲେ ।

ମନ୍ତ୍ରଉଚ୍ଚାରଣ ଭିତରେ ହେଲା ବିବାହ । ଆଉ କନ୍ୟା ପିତା ମାତା ଆସନରେ ବସିଥିଲେ ଝିଅଟିର ଶାଶୁ ଓ ଶ୍ୱଶୁର । ବିଶ୍ୱାସ ନହେଲେ ବି ଏକଥା ସତ । ନିଜ ବୋହୁର ଅତି ଧୁମଧାମରେ ବାହାଘର କରିଛନ୍ତି ଖୋଦ ଶାଶୁ, ଶ୍ୱଶୁର । ସାଇ ପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଡାକି ଭୋଜିଭାତରେ ଆପ୍ୟାୟିତ କରିଛନ୍ତି । ଝିଅ ବିଦାବେଳେ ଯେଭଳି ଜିନିଷପତ୍ର ଦିଆଯାଏ, ସେମିତି ସବୁ ସରଞ୍ଜାମ ସହ ମେଲାଣି ଦେଇଛନ୍ତି । ବୋହୁର ଦ୍ୱିତୀୟ ବିବାହ କରାଇ ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୁନ୍ଦରଗଡ ରାଜଗାଙ୍ଗପୁରର ଦମ୍ପତି । ୨୦୧୩ରେ ଦାହିମାଙ୍କ ବଡପୁଅ ବେଦ ପ୍ରକାଶଙ୍କ ସହ ଝାଡଖଣ୍ଡ ସିମଡେଗାର ରଶ୍ମୀରେଖାଙ୍କ ବିବାହ ହୋଇଥିଲା । ହେଲେ ବାହାଘରର ପ୍ରାୟ ଦେଢମାସ ପରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବେଦ ପ୍ରକାଶ ।

ସେତେବେଳକୁ ଗର୍ଭବତୀ ଥିଲେ ରଶ୍ମୀରେଖା । ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରକୁ ନଯାଇ ଶାଶୁଘରେ ରହିବାକୁ ଇଚ୍ଛାକଲେ । ଆଉ ବୋହୁକୁ ଝିଅଭଳି ଘରେ ରଖିଥିଲେ ଶ୍ୱଶୁର ରାଜେଶ ଓ ତାଙ୍କ ପତ୍ନୀ । ଅଧିକ ପାଠ ପଢାଇବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ କମ୍ପ୍ୟୁଟର ଓ ସିଲେଇ ତାଲିମ ବି ଦେଇଥିଲେ । ଅଳ୍ପ ବୟସରୁ ବିଧବା ହୋଇପଡିଥିବା ରଶ୍ମୀରେଖାଙ୍କ ବିରାଟ ଜୀବନ ପଡିଥିବା ଅନୁଭବ କରି ତାଙ୍କର ଦ୍ୱିତୀୟ ବିବାହ କରିବାକୁ ସ୍ଥିର କରିଥିଲେ । ଆଉ ଛତିଶଗଡ ରାୟପୁରର ବ୍ୟବସାୟୀ ସୁମିତ ଅଗ୍ରୱାଲଙ୍କୁ ଏଥିପାଇଁ ଚୟନ କରିଥିଲେ ।

ସମାଜରେ ବଧୂ ନିର୍ଯାତନା ଭଳି ଘୃଣ୍ୟ ଖବର ଚର୍ଚ୍ଚାରେ ରହୁଥିବା ବେଳେ ନିଜ ବୋହୁର ଭବିଷ୍ୟତ ଚିନ୍ତା କରି ଦ୍ୱିତୀୟ ବିବାହ କରାଇବା ଭଳି ଏହି ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ରଶ୍ମୀରେଖାଙ୍କ ଏକ ୪ ବର୍ଷର ଝିଅ ଅଛି । ଯାହାକୁ ନିଜ ପାଖରେ ରଖିବା ପାଇଁ ସ୍ଥିର କରିଛନ୍ତି ଜେଜେ ବାପା ଓ ଜେଜେ ମାଆ । ଏବଂ ଗ୍ରୀଷ୍ମଛୁଟି ପରେ ରାୟପୁରରେ ଯାଇ ସେ ମାଆଙ୍କ ପାଖରେ ରହି ପାଠ ପଢିବ ।