ବୁଲବୁଲ୍‌’ ଯିବା ପରେ ଉପାନ୍ତ ଅଞ୍ଚଳରେ ପଡ଼ିଲା ଥଣ୍ଡା : ୧୧ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି ତାପମାତ୍ରା

319

କନକ ବ୍ୟୁରୋ : ‘ବୁଲ୍‌ବୁଲ୍‌’ ଯିବା ପରେ ସାରା ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇଛି। ଉପାନ୍ତ ଅଞ୍ଚଳରେ ଥଣ୍ଡା ପଡ଼ିଛି । ପ୍ରତିଦିନ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଉଛି । ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଗତକାଲି ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା‌ ରେକର୍ଡ କରାଯାଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରହିଥିଲା । ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୨, ଟିଟିଲାଗଡ଼ରେ ୧୪.୧, କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରିକୁ ଖସିଆସିଛି । ତେବେ ଅନ୍ୟ ସମସ୍ତ ସହରର ତାପମାତ୍ରା ୧୫ ଡିଗ୍ରି ଉପରେ ରହିଛି ।

ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି କମିବ। ବିଶେଷକରି ଦକ୍ଷିଣ ଓଡ଼ିଶାର ତାପମାତ୍ରା ୨ରୁ ୩ ଡିଗ୍ରି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡ଼ିଶାରେ ଆକାଶ ମେଘମୁକ୍ତ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ରହିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବନି ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।