ବ୍ରାହ୍ମଣୀ ନଦୀରେ ଲୋକଙ୍କ ବିପଦପୂର୍ଣ୍ଣ ଯାତ୍ରା : ବିନା ଲାଇଫ ଜ୍ୟାକେଟରେ ଜୀବନକୁ ବାଜି ଲଗାଇ ହୁଲି ଡଙ୍ଗାରେ ନଈ ପାର ହେଉଛନ୍ତି ଲୋକେ, ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ

210

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସକୁ ତିନି ବର୍ଷ ପୁରିଛି । ହେଲେ ପୋଲ ନିର୍ମାଣ ପାଇଁ ମାଟି ମୁଠାଏ ବି ପଡି ନାହିଁ । ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଂଚାୟତର ଲୋକେ । ବ୍ରାହ୍ମଣୀ ନଦୀ ପାର ହେବା ପାଇଁ ଲୋକଙ୍କ ଏକମାତ୍ର ସାହା ଭରସା ପାଲଟିଛି ହୁଲି ଡଙ୍ଗା । ଏକମାଣିଆ ପଂଚାୟତରୁ ବ୍ଲକକୁ ଗଲେ ଡଙ୍ଗାରେ ଯିବାକୁ ପଡୁଛି । ଗାଡି ମୋଟର ସହ ଲୋକେ ସବୁଦିନ ବିପଦ ସଙ୍କୁଳ ଯାତ୍ରା କରୁଛନ୍ତି ବ୍ରାହ୍ମଣୀ ନଦୀରେ ।

ପ୍ରତିଦିନ ଛାତ୍ରଛାତ୍ରୀମାନେ ହୁଲି ଡଙ୍ଗାରେ ନଈ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି । ବିନା ଲାଇଫ ଜାକେଟରେ ଛାତ୍ରଛାତ୍ରୀ, ଲୋକେ ହୁଲି ଡଙ୍ଗାରେ ଯାତ୍ରା କରୁଛନ୍ତି । କେଉଁ ମୁହୂର୍ତରେ କଣ ଘଟିଯିବ, କିଏ କହିପାରିବ । ପ୍ରଶାସନର ଅପାରଗତା ଯୋଗୁଁ ମାଣିଆ ପଂଚାୟତବାସୀ ପ୍ରତିଦିନ ଜୀବନକୁ ବାଜିରେ ଲଗାଉଛନ୍ତି । ପାଣି ଘେରରେ ରହୁଥିବା ଏକମାଣିଆ ପଂଚାୟତରୁ ରାଜନଗର ବ୍ଲକକୁ ସଂଯୋଗ ଲାଗି ପୋଲ ନିର୍ମାଣ ପାଇଁ ୨୦୧୭ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ହେଲେ ଆଜି ଯାଏଁ ପୋଲ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ ।

ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ବି କିଛି ଫଳ ମିଳୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପଚାରିବାରୁ ଖୁବ ଶୀଘ୍ର ପୋଲ ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ।