ପ୍ରତିଦିନ ବାଜି ଲାଗୁଛି ଜୀବନ : ଭରା ନଈର ପ୍ରଖର ସ୍ରୋତରେ ବିପଦପୂର୍ଣ୍ଣ  ଯାତ୍ରା କରୁଛନ୍ତି ମାଥିଲି ଅଞ୍ଚଳର ବାସିନ୍ଦା

81

କନକ ବ୍ୟୁରୋ : ପ୍ରବଳ ବର୍ଷା ପରେ ଉପାନ୍ତ ଅଞ୍ଚଳରେ ବିକଳ ଚିତ୍ର । ପ୍ରବଳ ବର୍ଷା ପରେ ବଢୁଛି ନଦୀର ଜଳସ୍ତର । ଆଉ ଭରା ନଦୀରେ ଲୋକେ କରୁଛନ୍ତି ବିପଦପୂର୍ଣ୍ଣ  ଯାତ୍ରା । ନା ଅଛି ଡଙ୍ଗା , ନା ଅଛି ପୋଲ, ନା ଗମନାଗମନ ପାଇଁ ଅନ୍ୟ କିଛି ବିକଳ୍ପ ରହିଛି । ଜୀବନକୁ ବାଜି ଲଗାଇ ପ୍ରତିଦିନ ନଦୀ ପାର ହେଉଛନ୍ତି ଗ୍ରାମବାସୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ମାଥିଲି ବ୍ଲକର ଅଟାଳଗୁଡ଼ା ନଦୀ ଘାଟରେ ।

ବର୍ଷାରେ ନଦୀର ଜଳସ୍ତର ବଢିବା ଯୋଗୁଁ ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ନଦୀ ଆର ପଟେ ବ୍ଲକର ନନ୍ଦପୁରିଆଗୁଡ଼ା, ଗାଙ୍ଗରାଜଗୁମ୍ମା, ଗେଲାଗୁଡା, ସର୍ଗୀଗୁଡା, ପେଦାଗୁଡା ଭଳି ୬ ଟି ଗାଁର ପ୍ରାୟ ୪୦୦ ଲୋକେ ବସବାସ କରନ୍ତି । ବ୍ଲକ ଅଫିସ ଓ ପଂଚାୟତ ସହ ଯୋଗାଯୋଗ କରିବାକୁ ହେଲେ ଲୋକଙ୍କୁ ଗାରିଆ ନଦୀ ପାର ହେବାକୁ ପଡେ । ପ୍ରତିଦିନ ଯା ଆସ କରିବାକୁ ହେଲେ ନଦୀ ପାର ହେବାକୁ ପଡିଥାଏ । ପୋଲଟିଏ ନ ଥିବାରୁ ଲୋକେ ଏବେ ଏପରି ସ୍ଥିତିରେ ନଦୀ ପାର ହେଉଛନ୍ତି ।

କେବଳ ଚଳିତ ବର୍ଷର ନୁହଁ, ବର୍ଷ ବର୍ଷ ଧରି ଚାଲି ଆସିଛି ଏପରିରେ ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି ସ୍ଥାନୀୟବାସିନ୍ଦା । କହିବାକୁ ଗଲେ ନଦୀ ପାର ହେବାକୁ ଜୀବନକୁ ପ୍ରତିଦିନ ବାଜି ଲଗାଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ବି ନା ଶୁଣୁଛନ୍ତି ସରକାର, ନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।