ହୀରାକୁଦ ଚିଲିକା ଡଙ୍ଗାବୁଡି ଘଟଣା ପରେ ବି ଚେତିନି ପ୍ରଶାସନ : ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଶତାଧିକ ଶ୍ରଦ୍ଧାଳୁ

52

କନକ ବ୍ୟୁରୋ : ହୀରାକୁଦ ଚିଲିକା ଭଳି ଡଙ୍ଗାବୁଡି ଘଟଣା ପରେ ବି ଚେତିନାହାନ୍ତି ସରକାର । ଏବେ ବି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ହଜାର ହଜାର ଲୋକ । ଆନ୍ଧ୍ରପ୍ରଦେଶ ପୋଲେରୁ ବଡଯାତ୍ରା ଦେଖିବା ପାଇଁ ଗୋଟିଏ ଡଙ୍ଗାରେ ସିଲେରୁ ନଦୀପାର ହେଉଛନ୍ତି ଶତାଧିକ ଶ୍ରଦ୍ଧାଳୁ । ବିପଦ ସଂକୁଳ ଅବସ୍ଥାରେ ଜୀବନକୁ ପାଣି ଛଡେଇ ଡଙ୍ଗାରେ ବସୁଛନ୍ତି ଶ୍ରଦ୍ଧାଳୁ ।  ବୟସ୍କଙ୍କ ଠାରୁ ଅରମ୍ଭ କରି ଛୋଟ ଛୋଟ ପିଲା ସମସ୍ତେ ଡଙ୍ଗାରେ ଲଦାଲଦି ହୋଇ ଯାଉଛନ୍ତି ।

କାହାରି ପାଖରେ ଲାଇଫ ଜ୍ୟାକେଟ ନାହିଁ । କେବଳ ଜଣେ ବ୍ୟକ୍ତି ଏକ ଲାଇଫ ଜ୍ୟାକେଟ ପିନ୍ଧିଥିବାର ଜଣାପଡିଛି । ଏପରି ଘଟଣା ଦେଖିବା ପାଇଁ ମିଳିଛି ଆନ୍ଧ୍ର-ମାଲକାନଗିରିକୁ ସଂଯୋଗ କରୁଥିବା ସିଲେରୁ ନଦୀର । ଆନ୍ଧ୍ରପ୍ରଦେଶ ପୋଲେରୁରେ ହେଉଥିବା ବଡଯାତ୍ରା ଦେଖିବା ପାଇଁ ଏଭଳି ଅବସ୍ଥାରେ ନଦୀ ପାର ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ପୋଲେରୁରେ ଆଦିବାସୀଙ୍କ ଆରାଧ୍ୟ ଦେବା ଦେବୀଙ୍କ ପୂଜାର୍ଚନା କରାଯାଏ ।

ମୁଖ୍ୟତଃ କୃଷ୍ଣ, ଭୀମ ଓ ଅର୍ଜୁନଙ୍କ ପୂଜା କରାଯାଏ । ଏହି ବଡ ଯାତ୍ରାରେ ୪ଟି ରାଜ୍ୟର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଆନ୍ଧ୍ରପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ଓଡିଶା ମାଲକାନଗିରିର ହଜାର ହଜାର ଲୋକ ପୋଲେରୁ ଯାଇଥାନ୍ତି । ତେବେ ଅନ୍ୟ ତିନି ରାଜ୍ୟର ଶ୍ରଦ୍ଧାଳୁଙ୍କ ଗମନାଗମନ ପାଇଁ ଭଲ ରାସ୍ତା ଥିବା ବେଳେ ମାଲକାନଗିରିର ଶ୍ରଦ୍ଧାଳୁ ବିପଦସଂକୁଳ ଅବସ୍ଥାରେ ନଦୀପାର ହୋଇ ଯାଇଥାନ୍ତି ।