ରାଜଧାନୀରେ ପୁଣି ଚାଲିବ ଡ୍ୟାନ୍ସବାର : ୫ଟି ଡ୍ୟାନ୍ସ ବାରକୁ ଅନୁମତି ଦେବା ପାଇଁ ପଦକ୍ଷେପ ନେବାକୁ ଅବକାରୀ କମିଶନରଙ୍କୁ କହିଲେ ହାଇକୋର୍ଟ

230

କନକ ବ୍ୟୁରୋ : ରାଜଧାନୀରେ ପୁଣି ଚାଲିବ ଡ୍ୟାନ୍ସବାର । ଏବେ ପୁଣି ଏହି ସମ୍ଭାବନା ସୃଷ୍ଟି ହୋଇଛି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ୨ ଜଣିଆ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୫ଟି ଡ୍ୟାନ୍ସ ବାରକୁ ଅନୁମତି ଦେବା ପାଇଁ ପଦକ୍ଷେପ ନେବାକୁ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହା କରିବାକୁ କୋର୍ଟ କହିଛନ୍ତି । ଏହି ତାଲିକାରେ ରାଜଧାନୀର ରେନ୍- ଦି କ୍ଲବ, ଦୀପାଳି ଇଂଟରନ୍ୟାସନାଲ, ଗ୍ରୀନଫିଲ୍ଡ, ସ୍ୱାଗତ ବାର ଓ ଓଆସିସ୍ ବାର ରହିଛି ।

ଗତ ୨୬ ତାରିଖରେ କମିଶନରେଟ ପୋଲିସ ଡ୍ୟାନ୍ସ ବାର ଉପରେ ଚଢଉ କରିଥିଲା ଏବଂ ଏହା ପରେ ବାର୍ ଗୁଡିକ ବନ୍ଦ ହୋଇଥିଲା । ବାର୍ ଗୁଡିକ ବେଆଇନ ଭାବେ ଚାଲିଥିଲା ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା । ଡ୍ୟାନ୍ସ ଓ ମ୍ୟୁଜିକ୍ ପାଇଁ ଅନୁମତି ନଥିବା ବେଳେ ବାର୍ ଗୁଡିକ ଚାଲିଥିଲା ଏବଂ ଏଠାରେ ଅନୈତିକ କାମ ଚାଲିଥିଲା ବୋଲି ପୋଲିସ କମିଶନର କହିଥିଲେ ।