କନକ ବ୍ୟୁରୋ : କ୍ଷେତରେ ପଡ଼ିଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ବିଲାତି। ସବୁଗୁଡ଼ିକ ପାଚି ଯାଇଛି। କିଛି ପଚିବା ଆରମ୍ଭ କଲାଣି। ପ୍ରାୟ ୩ଶହରୁ ଊର୍ଦ୍ଧ୍ବ କ୍ୱିଣ୍ଟାଲ୍ ବିଲାତି ନଷ୍ଟ ହେବାକୁ ଯାଉଛି । କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଦମାହୁଦା ପଞ୍ଚାୟତ କୁମୁଳାବାହାଳି ଗ୍ରାମରେ ବିଲାତି ଚାଷର ଏମିତି ଅବସ୍ଥା ହୋଇଛି।
କୁମୁଳାବାହାଳି ଗ୍ରାମରେ ୫ଜଣ ଚାଷୀ ସ୍ୱୟଂସହାୟକ ଗୋଷ୍ଠୀରୁ ପାଖାପାଖି ୨ଲକ୍ଷ ଟଙ୍କା ଋଣ ନେଇ ପ୍ରାୟ ୧୨ ଏକର ଜମିରେ ବିଲାତି ଚାଷ କରିଥିଲେ। ଚାଷୀ ବାଜାୟ ମୁଣ୍ଡା, ଜବାହରଲାଲ ହେମ୍ବ୍ରମ, ହରିହର ମହାନ୍ତ ଓ ପରମେଶ୍ୱର ସେଠୀ ମିଶି ଜମି ଚାଷ କରିଛନ୍ତି । ସେହିପରି ଆଉ ଜଣେ ଚାଷୀ ଡାଳପକା ଗ୍ରାମପଞ୍ଚାୟତ କୁଦାବେଡ଼ା ଗ୍ରାମର ଜୟକୃଷ୍ଣ ମହାନ୍ତ ତାଙ୍କ ପୁତ୍ରବଧୂଙ୍କ ନାମରେ ସ୍ବୟଂସହାୟକ ଗୋଷ୍ଠୀରୁ ୫୦ ହଜାର ଟଙ୍କା ଋଣ କରି ପ୍ରାୟ ୪ ଏକର ଜମିରେ ବିଲାତି ଚାଷ କରିଛନ୍ତି। ଲକ୍ଡାଉନ ପୂର୍ବରୁ ଏ ସମସ୍ତ ଚାଷୀ ପ୍ରାୟ ୫-୭ କ୍ୱିଣ୍ଟାଲ୍ ବିଲାତି ତୋଳି ଦେଇଥିଲେ। ସବୁତକ ପାଚିଯାଇଥିଲା।
ହଠାତ କଟକଣା ଲାଗୁ ହେବା ପରେ ତାହା ଆଉ ବଜାରକୁ ଯାଇପାରିଲା ନାହିଁ । ବେପାରୀ ମଧ୍ୟ ଆସୁନଥିବାରୁ ତାହା ସେମିତି ରହିରହି ପଚିଗଲାଣି। ବଗିଚାରେ ମଧ୍ୟ ଅନୁରୂପ ଅବସ୍ଥା । ଅଧିକାଂଶ ଗଛରେ ବିଲାତି ପାଚିଯାଇ ଝଡ଼ିଗଲାଣି । ନିଜ କଷ୍ଟ ଉପାର୍ଜିତ ଫଳର ଏମିତି ରୂପ ଦେଖି ଚାଷୀମାନେ ଲୁହ ଗଡ଼ାଉଛନ୍ତି । କଟକଣା ଲାଗୁ ହେବା ପୂର୍ବରୁ ସେମାନେ ମାତ୍ର ୧୦ ଟନ୍ ବିଲାତି ବିକ୍ରି କରିଥିଲେ । କ୍ଷେତରେ ଆହୁରି ୩୦-୩୨ ଟନ୍ ଅର୍ଥାତ ୩ଶହରୁ ୩୨୦ କ୍ୱିଣ୍ଟାଲ୍ ବିଲାତି ପଡ଼ିରହିଛି।
Comments are closed.