ଦାମଙ୍କ ବିରୋଧରେ ସୂର୍ଯ୍ୟଙ୍କ ସାଙ୍ଘାତିକ ଅଭିଯୋଗ : କହିଲେ ଜ୍ୱାଇଁଙ୍କ ଘରେ ଭଡାରେ ଚାଲିଛି ଶିଳ୍ପ ବିଭାଗ ଅଫିସ, ଗାଙ୍ଗଷ୍ଟର ଟିଟୋ ସହ ଅଛି ଦାମଙ୍କ ସମ୍ପର୍କ

33

କନକ ବ୍ୟୁରୋ : ଦାମୋଦର ରାଉତଙ୍କ ବିରୋଧରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଙ୍ଗୀନ ଅଭିଯୋଗ । କହିଲେ ଗ୍ୟାଙ୍ଗଷ୍ଟର ଟିଟୋ ସହ ଦାମ ରାଉତଙ୍କ ସଂପର୍କ ରହିଛି । ଖାଲି ସେତିକି ନୁହେଁ, ଦାମ ଜଣେ ଦୋମୁହାଁ ବ୍ୟକ୍ତି ବୋଲି କହିଛନ୍ତି ଦାମ । ଶିଳ୍ପ ବିଭାଗ ଅଫିସକୁ ରାଉରକେଲାରୁ ପାରାଦୀପକୁ ଆଣି ଜ୍ୱାଇଙ୍କ ଘରେ ଚଳାଇ ଦାମ ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟ ।

ସେପଟେ ଏହାର ଜବାବରେ ବିଜେଡିରୁ ବହିଷ୍କୃତ ଦାମୋଦର ରାଉତ କହିଛନ୍ତି, ଟଙ୍କା ଓ କ୍ଷମତା ପାଇଁ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସବୁ କିଛି କରିପାରନ୍ତି । ସେ କହିଛନ୍ତି, ‘ସୂର୍ଯ୍ୟଙ୍କୁ ମୁଁ ମଣିଷରେ ଗଣେନି । ସେ ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ । ସେ ପଇସା ପାଇଁ ପୁଅର ବାପା ନା ମଧ୍ୟ ବଦଳାଇ ଦେଇଛନ୍ତି। ସରକାରୀ ସମ୍ପତି ହଡପ କରୁଛନ୍ତି । ସେ କି ମଣିଷ ଯେ ତା ନାଁରେ ମୁଁ କହିବି। ତାଙ୍କ ବୟସର ଲୋକ ଭଦ୍ର ଲୋକ ଭଳି ଲାଗନ୍ତି । କିନ୍ତୁ ଏଇ ପଚାସଢା ଲୋକଟା ଭଲ ଲୋକ କେଉଁଦିନ ହେଲା ?

୨୦୧୨ ମସିହାରେ ଯେତେବେଳେ ନବୀନଙ୍କୁ ହଟାଇବାକୁ ପ୍ୟାରୀଙ୍କ ହାତବାରସି ସାଜି କିଛି ନେତା ଷଡଯନ୍ତ୍ର କରିଥିଲେ ସେତେବେଳେ ତାଙ୍କୁ ଏକୁଟିଆ ମୁଁ ମେଳି ଭାଙ୍ଗିଥିଲି । ଏକଥା ପୂରା ଦୁନିଆ ଜାଣିଛି । କିନ୍ତୁ ସେତେବେଳେ ଯେଉଁ ଲୋକ ଏଭଳି ଷଡଯନ୍ତ୍ର କରୁଥିଲେ ବର୍ତ୍ତମାନ ସେମାନେ ନବୀନଙ୍କ ପରାମର୍ଶଦାତା ସାଜିଛନ୍ତି । ତା’ଛଡା ଟିଟୋ ଲିଙ୍କ ନେଇ ଯେଉଁ ତଦନ୍ତର କଥା ସୂର‌୍ୟ୍ୟ କହୁଛନ୍ତି ତାହା କରନ୍ତୁ ବୋଲି ଦାମ ଦମ୍ଭୋକ୍ତି ଦେଖାଇ କହିଛନ୍ତି । ତଦନ୍ତ ପରେ ଜଣାପଡ଼ିଯିବ କେଉଁମାନେ ଟିଟୋ ସହ ଜଡିତ ଅଛନ୍ତି ।