ଦାମଙ୍କୁ ଭେଟିବା ପରେ ବୈଜୟନ୍ତ ପଣ୍ଡା କହିଲେ, ଦାମଙ୍କ ପ୍ରତି ଅନ୍ୟାୟ ହୋଇଛି : ସେପଟେ ଦାମ କହିଲେ, ଓଡ଼ିଶା ପ୍ରତି ନାହିଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା

109

କନକ ବ୍ୟୁରୋ : ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦାମ ଓ ବୈଜୟନ୍ତଙ୍କୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଚାଲିଛି । ଦୁଇ ନେତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଦାମଙ୍କୁ ସାକ୍ଷାତ କରିବା ପରେ ବୈଜୟନ୍ତ କହିଛନ୍ତି, ଦାମଙ୍କ ସହ ଅନ୍ୟାୟ କରାଯାଇଛି । ଦାମ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତା ଉପରେ ତଦନ୍ତ କରିବା ଉଚିତ ଥିଲା ବୋଲି କହିଛନ୍ତି ବୈଜୟନ୍ତ । ସେପଟେ ଦାମ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତଙ୍କ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନାହିଁ ବୋଲି ଦାମ କହିଛନ୍ତି ।

photo courtesy -http://odishatv.in

ସେପଟେ ବିଜେଡି ନେତା ସୁବାଷ ସିଂ କହିଛନ୍ତି, ଦାମ କ୍ଷମତାରୁ ଯିବା ପରେ ଏଭଳି ଅଭିଯୋଗ ଆଣନ୍ତି । କ୍ଷମତାରେ ଥିବା ବେଳେ କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁବାଷ ସିଂ । ଦଳର ଶୃଙ୍ଖଳା ସବୁଠାରୁ ବଡ ଏବଂ ଯିଏ ଶୃଙ୍ଖଳା ଭଙ୍ଗ କରୁଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି ।

ନବୀନଙ୍କୁ ନେଇ ଦାମଙ୍କ ଦୁଇ ଦିନରେ ଦୁଇଟି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ସକାଳେ ଦାମ କହିଥିଲେ, ନବୀନ ଜଣେ ଭଲ ଲୋକ । ଏବଂ ଅର୍ଥ ହେରଫେର କିମ୍ବା ଦୁର୍ନୀତିରେ ତାଙ୍କର କୌଣସି ସମ୍ପୃକ୍ତି ନଥାଏ । ତାଙ୍କ ଚାରିପଟେ ରହୁଥିବା ଲୋକ ଓ ଅଫିସର ଦୁର୍ନୀତି କରନ୍ତି । ତେବେ ବହିଷ୍କାର ପରେ ଦାମଙ୍କ ମନ୍ତବ୍ୟ ବଦଳିଯାଇଛି ।

ଦଳରୁ ଦାମଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ୍ ରାଉତ୍ । ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ରାଜନୀତି ଓ ପରିବାର ଭିନ୍ନ ଭିନ୍ନ ଜିନିଷ ବୋଲି ସମ୍ବିତ ରାଉତ କହିଛନ୍ତି ।