ଶେଷରେ ନରମିଲେ ଦାମୋଦର ରାଉତ : ମୁଖ୍ୟମନ୍ତ୍ରୀଙ୍କୁ ଭଲ ଲୋକ କହିବା ସହ ସେ ଜଣେ ଲେଖକ ଓ ଚିତ୍ରକାର ବୋଲି କହିଲେ

43

କନକ ବ୍ୟୁରୋ : ବେଶ୍ କିଛି ଦିନ ଧରି ଦଳବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହୁଛନ୍ତି ଦାମୋଦର ରାଉତ । ଏପରିକି ତାଙ୍କୁ ଦଳରୁ ବିଦା କିରବା ପାଇଁ ମେଳି ବାନ୍ଧିଛନ୍ତି ଦଳୀୟ ନେତା । ହେଲେ ବିଭିନ୍ନ ପ୍ରକାର ସରକାର ବିରୋଧୀ ବୟାନ ଦେବା ପରେ ଆଜି କିନ୍ତୁ ନିଜ ବୟାନ ପରିବର୍ତ୍ତନ କରିଛନ୍ତି ଦାମ ବାବୁ । ଶେଷରେ ନରମିଲେ ଦାମ । ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଅଡୁଆରେ ପକାଉଥିବା ଦାମୋଦର ରାଉତ ଶେଷରେ ନରମିଛନ୍ତି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭଲ ଲୋକ କହିବା ସହ ସେ ଜଣେ ଲେଖକ ଓ ଚିତ୍ରକାର ବୋଲି କହିଛନ୍ତି । ସେ ନବୀନଙ୍କ ବିରୋଧରେ ପଦୁଟିଏ କହିନଥିବା କହିଛନ୍ତି । ଶାସନରେ ଭ୍ରଷ୍ଟାଚାର ହେଲେ କିମ୍ବା ଦୁର୍ନୀତି ହେଲେ ପର୍ଦ୍ଦାଫାଶ କରିବା ବିରୋଧୀଙ୍କ କାମ । ହେଲେ ସେମାନେ ସେ କାମ କରୁନାହାନ୍ତି, ତେଣୁ ଦାମ କହୁଛନ୍ତି । ଏହି ପ୍ରସଙ୍ଗରେ ସେ ନଗଡାର ଉଦାହରଣ ଦେଇଛନ୍ତି । ଦାମ ବାବୁ କହଛନ୍ତି ମୁଖ୍ୟମନ୍ତ୍ରୀ ନଗଡ଼ା ପାଇଁ ୨୪୫ କୋଟି ଅନୁଦାନ ଦେଉଥିଲେ, ହେଲେ ଅଫିସରମାନେ ଠିକ୍ ଭାବେ କାମ କରୁନଥିବା ଯୋଗୁଁ ଲୋକଙ୍କ ପାଖରେ ଅନୁଦାନ ଅର୍ଥ ପହଞ୍ଚିପାରିନଥିଲା । ଆଉ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଲେ ଲୋକେ । ଦାମ ରାଉତ୍ କହିଛନ୍ତି ଯେକୌଣସି କାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୋଷ ଦେବା ସମସ୍ତଙ୍କର ଅଭ୍ୟାସ ହୋଇଗଲାଣି । ସେ ଅନୁଦାନ ଘୋଷଣା କରିପାରିବେ ସିନା ଘରକୁ ଘର ଯାଇ ତ କାମ କରିପାରିବେ ନାହିଁ । ସେସବୁ କାମ ଅଧିକାରୀ ମାନଙ୍କର । ଅଧୀକାରୀ ମାନେ କାର୍ଯ୍ୟକାରୀ ନକଲେ କିମ୍ବା ହେରାଫେରି କରୁଥିଲେ ତାହା ବାହାରକୁ ଆସିବା ଦରକାର ।

ସୂଚନାଯୋଗ୍ୟ ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଦଳରୁ ଦାମଙ୍କୁ ବହିଷ୍କାର କରିବା ଲାଗି ଜଗତସିଂହପୁର ଜିଲ୍ଲା ବିଜେଡିର ଅନେକ କର୍ମୀ ଓ ନେତା ତାଙ୍କ ବିରୋଧରେ ଫେରାଦ ହୋଇଥିଲେ। ଦାମ ଦଳ ବିରୋଧୀ କାମ କରୁଥିବା ସୁପ୍ରିମୋ ନବୀନ ପଟ୍ଟନାୟକ ପାଖରେ ଅଭିଯୋଗ ହୋଇଛି । ତେବେ ଅଭିଯୋଗର ବିଚାର କରୁଥିବା ନେଇ ନବୀନ ପଟ୍ଟନାୟକ କାଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମନ୍ତ୍ରୀପଦ ଓ ଦଳୀୟ ପଦ ପଦବୀରୁ ବିଦା ହୋଇସାରିଥିବା ଦାମୋଦର ରାଉତ, ଦଳର ସଭ୍ୟ ପଦ ହରାଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ତେବେ ଆଜି ଦାମଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମନ ପରିବର୍ତ୍ତନ କରିବ କି ସେନେଇ ର୍ଚ୍ଚା ହେଉଛି ।