କନକ ବ୍ୟୁରୋ : ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବିଜେଡ଼ି । ଓଡ଼ିଶାରେ ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନରୁ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ । ଆଉ ଗୋଟିଏ ଆସନ ପାଇଁ ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ବୋଲି ନବୀନଙ୍କ ଘୋଷଣା ପରେ ରାଜନୀତି ପାଣିପାଗ ସରଗରମ ରହିଛି ।
ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଦାମ ରାଉତ କହିଛନ୍ତି, ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ବୋଧହୁଏ ବିଜେଡ଼ି ବିଜେପି ମଧ୍ୟରେ ଆଉ ସମଦୂରତା ନାହିଁ । ବର୍ତ୍ତମାନ ସମୟରେ ରାଜ୍ୟ ରାଜନୀତିରେ ପ୍ରଶାସକ ମାନଙ୍କ ଡିମାଣ୍ଡ ବଢ଼ିଯାଇଛି । ବରିଷ୍ଠ ନେତାମାନେ ଗୌଣ ହୋଇଯାଉଛନ୍ତି । ରାଜ୍ୟରେ ବିଜେପିର ପତିଆର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଜେଡ଼ି ବିଜେପି ସହ ସୁମ୍ପର୍କ ସ୍ଥାପନ କରିବା ପାଇଁ ଚାହୁଁଛି । ତେବେ ଉଭୟ ଦଳ ମଧ୍ୟରେ ଭଲ ସମ୍ପର୍କ ରାଜ୍ୟ ପାଇଁ ମଧ୍ୟ ଉତ୍ତମ । ଯଦ୍ୱାରା ରାଜ୍ୟର ବିକାଶ ହୋଇପାରିବ । ରାଜ୍ୟ ବିକାଶ ପାଇଁ ଉଭୟ ମିଳିମିଶି କାମ କରିପାରିବେ ।
ଅନ୍ୟପଟେ ବିଜେଡ଼ି-ବିଜେପି ସମ୍ପର୍କକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସମଦୂରତ୍ୱର ଅଭିନୟ କରୁଛନ୍ତି ଉଭୟ ବିଜେପି-ବିଜେଡ଼ି । ଭିତିରିଆ ଉଭୟ ଦଳ ମଧ୍ୟରେ ଭଲ ସମ୍ପର୍କ ରହିଛି । ସିବିଆଇ ଭୟ ଦେଇ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ।