କନକ ବ୍ୟୁରୋ : ପୁରୁଣା ଅବତାରକୁ ଫେରିଲେ ବରିଷ୍ଠ ନେତା ଦାମ ରାଉତ । ବେଶ୍ କିଛି ଦିନର ନୀରବତା ପରେ ଦାମ ଦାମଙ୍କ ପୁରୁଣା ରୋଗ ବାହାରିଛି । ତୁଣ୍ଡକୁ ନିୟନ୍ତ୍ରଣ ରଖିପାରିଲେନି ବୋଲି ମନ୍ତ୍ରୀ ପଦ ଯାଇଥିଲା । ଅମାନିଆ ତୁଣ୍ଡ ପାଇଁ ଦଳରୁ ବିତାଡ଼ିତ ହୋଇଥିଲେ । ହେଲେ ବିଜେଡ଼ିରୁ ବିଦା ହୋଇ ବିଜେପିକୁ ଆସିବା ପରେ ମଧ୍ୟ ସୁଧୁରି ନାହାନ୍ତି ବରିଷ୍ଠ ନେତା । ବିଜେପି ରହି ଏବେ ଦଳ ବିରୋଧୀ ଆକ୍ଷେପ ଆରମ୍ଭ କରିଦେଇଛନ୍ତି । ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ୱ ତାଙ୍କର ରାଜନୀତି ଅଭିଜ୍ଞତା ରହିଛି । ଠିକଣା ସମୟରେ ବିରୋଧୀଙ୍କୁ ବାକ୍ୟବାଣ ମାରି ଧରାଶାୟୀ କରୁଥିବା ଦାମ ସମୟ ଆସିଲେ ନିଜ ଦଳକୁ ବି ଛାଡ଼ନ୍ତିନି । ଏହି କ୍ରମରେ ବିରୋଧୀ ଦଳ ନେତା ଚୟନରେ ଦଳର ନିଷ୍ପତ୍ତିକୁ ସିଧାସଳଖ ବିରୋଧ କରିଛନ୍ତି ଦାମ ରାଉତ ।
ଦାମ ବାଣରେ ଘାଇଲା ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରିଛନ୍ତି ଦାମ । ଦଳୀୟ ନିଷ୍ପତ୍ତି ସହ ଦଳ ଉପରେ ବର୍ଷିଛନ୍ତି ଦାମ ରାଉତ । ରାଜ୍ୟରେ ବିଜେପି ସ୍ୱୀକୃତି ପ୍ରାପ୍ତ ବିରୋଧୀ ଦଳ । ମାତ୍ର ବିଧାନସଭାରେ ଦକ୍ଷ ବିରୋଧୀ ଭାବେ କାମ କରୁନି ବିଜେପି । ଏହାସହ ବିରୋଧୀ ଦଳ ନେତା ଚୟନ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ଦାମ । ରାଜନୀତିରେ ମୋର ଅନେକ ଦକ୍ଷତା । ହେଲେ ବିରୋଧୀ ଦଳ ନେତା ଚନୟ ନିଷ୍ପତ୍ତି ନେଇ ମୋ ସହ ଆଲୋଚନା କରାଯାଇନାହିଁ । ପ୍ରଦୀପ୍ତ ନାୟକଙ୍କ ପାଖରେ ବିରୋଧୀ ଦଳ ନେତା ହେବାର ଯୋଗ୍ୟତା ନାହିଁ । ବିରୋଧୀ ଦଳ ନେତା ହେବା ପାଇଁ ଯେଉଁ ଯେଉଁ ଦକ୍ଷତା ରହିବା କଥା ସେସବୁ ଗୁଣ ପ୍ରଦୀପ୍ତଙ୍କ ପାଖରେ ନାହିଁ । କୌଣସି ଦଳୀୟ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ନେତାଙ୍କ ମତାମତ ଲୋଡ଼ାଯାଉନାହିଁ । ରାଜ୍ୟ ରାଜନୀତିରେ ସମଦୂରତ୍ୱ ବର୍ତ୍ତମାନ କେବଳ ଏକ ଅସମାହିତ ପ୍ରଶ୍ନ । ସମଦୂରତ୍ୱ ଶବ୍ଦର ଆଉ କୌଣସି ମୂଲ୍ୟ ନାହିଁ । ସମଦୂରତା ବଦଳରେ ସମତା ରକ୍ଷା କରୁଛନ୍ତି ଉଭୟ ଦଳ । ବିଧାନସଭାରେ ବିଜେଡ଼ି-ବିଜେପି ବରୋଧାଭାସ ଦେଖିବା ପାଇଁ ମିଳୁନାହିଁ । ଦଳ କାଉକୁ ଧଳା କହିଲେ ସେକଥାରେ ମୁଁ ଏକମତ ନୁହେଁ ବୋଲି ସେ କହିଛନ୍ତି ।
ଦଳ ବିରୋଧୀ ବୟାନ ଦେବା ସହ ମନର ବେଦନା ମଧ୍ୟ ବଖାଣିଛନ୍ତି ଦାମ ରାଉତ । ନିର୍ବାଚନରେ ପରାଜୟର ଦୁଃଖ ତାଙ୍କ ମୁହଁରେ ସ୍ପଷ୍ଟ ଦେଖିବାପାଇଁ ମିଳିଛି । ବିଧାନସଭା ଯାଇ ନପାରିବାରୁ ଦୁଃଖ ପ୍ରକାଶ କରିଛନ୍ତି ଦାମ ରାଉତ । ନିର୍ବାଚନରେ ବିଜୟୀ ହୋଇଥିଲେ ବିରୋଧୀ ନେତା ହୋଇଥାଆନ୍ତି ବୋଲି ସେ କହିଛନ୍ତି । ବିଜେପିରେ ଯୋଗଦେବା ପରେ ବାକ୍ୟବାଣରୁ ଦୂରେଇ ରହୁଥିଲେ ବରିଷ୍ଠ ନେତା । ହେଲେ ଏବେ ନିର୍ବାଚନ ଶେଷ ହେବା ପରେ ଦାମଙ୍କ ଅସଲ ରୂପ ପୁଣି ଦେଖିବାକୁ ମିଳୁଛି । ବିଜେଡ଼ିରେ ଥାଇ ବି ବିରୋଧୀ ଭୂମିକା ନିଭାଉଥିବା ଦାମଙ୍କ ଟାର୍ଗେଟରେ ଏବେ ବିଜେପି ।