ସ୍ୱାମୀ ଛାଡି ଅଙ୍ଗନୱାଡି ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କଲେ ଦାମ ! କହିଲେ, ତାଙ୍କ କଥାକୁ ତିଳରୁ ତାଳ କରାଯାଇଛି 

47

କନକ ବ୍ୟୁରୋ : ଛିଡୁନି ମନ୍ତ୍ରୀ ଦାମୋଦର ରାଉତଙ୍କ ଅଡୁଆ । ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ ପରେ ବିବାଦ ଜୋର ଧରିବାରୁ ନିଜ ପକ୍ଷରୁ ଏକ ଭିଡିଓ ଜାରି କରି ଦୁଃଖପ୍ରକାଶ କରିଛନ୍ତି ଦାମବାବୁ । ହେଲେ ଦାମବାବୁ ଭୁଲ ମାଗିବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ସେପଟେ ବିଜେଡିର ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ଦାମବାବୁଙ୍କ ହାତ ଛାଡିଦେଇଛନ୍ତି ।

ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ, ଗତ ତିନି ଦିନ ହେଲା ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଇଛି । ସ୍ଥିତି ହାତରୁ ଖସି ଯାଉଥିବା ଦେଖି ଏକ ଭିଡିଓ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଦାମବାବୁ । ତେବେ ଦାମବାବୁଙ୍କ ଏହି ଭିଡିଓ ସନ୍ତୁଷ୍ଟ କରିପାରିନାହିଁ, ବିଜେପି ମହିଳା ମୋର୍ଚ୍ଚାକୁ । ଅଙ୍ଗନବାଡ଼ି କର୍ମୀଙ୍କୁ ଭୁଲ ନମାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ।

ରାଜଧାନୀରେ ବିଜେପି ନେତୃତ୍ୱରେ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଏକଜୁଟ ହୋଇ ଦାମଙ୍କ ମନ୍ତବ୍ୟରbjp-won ଜୋରଦାର ପ୍ରତିବାଦ କରିଥିଲେ । ଏତିକିରେ ଦାମଙ୍କ ଅଡୁଆ ଛିଡିନାହିଁ । ବିଜେପି ଏହି ପ୍ରସଙ୍ଗକୁ ଆହୁରି ତେଜୁଥିବା ବେଳେ ନିଜ ଦଳର ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ଦାମଙ୍କ ହାତ ଛାଡିଦେଇଛନ୍ତି ।

ସେପଟେ ଦାମ-ବିଜେପି କଳି ଭିତରେ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ ତାଙ୍କର ଚିରାଚରିତ ଢଙ୍ଗରେ କହିଛନ୍ତି ଦାମଙ୍କୁ ଶ୍ରୀଖଣ୍ଡି ବୋଲି ଆକ୍ଷେପ କରିବା ଠିକ୍ ନୁହେଁ । ସେ କହିଛନ୍ତି, ଶ୍ରୀଖଣ୍ଡି ନୁହେଁ, ମହାଭାରତର ଶ୍ରୀକୃଷ୍ଣ ଭଳି ହେଉଛି ଦାମବାବୁଙ୍କ ଭୂମିକା । ଦାମଙ୍କ ବୟାନକୁ ନେଇ ବିବାଦ ଉଠିବା କିଛି ନୂଆ କଥା ନୁହେଁ । କିନ୍ତୁ ଯାଜପୁର ଭାଷଣରେ ଦାମଙ୍କ ବୟାନ ତାଙ୍କୁ ଅଡୁଆ ଜାଲରେ ପକାଇଦେଇଥିବା ଅନୁମାନ କରାଯାଉଛି । ନହେଲେ ରାଜନୀତିରେ ଦାମବାବୁଙ୍କ ଭଳି ଖେଳୁଆଡ କେବେ ବି ଭିଡିଓ ଜାରି କରି ସଫେଇ ରଖିନଥାନ୍ତେ ।