ବିଶିଷ୍ଠ ଗାୟକ ଦଲେର ମେହେନ୍ଦିଙ୍କୁ ଦଣ୍ଡ ! ବେଆଇନ୍ ମାନବ ଚାଲାଣ ଅଭିଯୋଗରେ ୨ ବର୍ଷ ସଜା ଶୁଣାଇଲେ ପଂଜାବ ପଟିଆଲା କୋର୍ଟ

21

ଦଲାଲି କରି ଫଶିଗଲେ ବିଶିଷ୍ଠ ଗାୟକ ଦଲେର ମେହେନ୍ଦି । ବେଆଇନ୍ ଭାବେ ବିଦେଶକୁ ମାନବ ଚାଲାଣ କରିବା ଅଭିଯୋଗ ୨ବର୍ଷ ଦଣ୍ଡାଦେଶ ଦେଇଛନ୍ତି ପଞ୍ଜାବ ପଟିଆଲା ହାଉସ୍ କୋର୍ଟ । ତାଙ୍କ ନାଁରେ ୨୦୦୩ରେ ହୋଇଥିବା ଏକ ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡ ଦେଇଛନ୍ତି । ବିଦେଶକୁ ଅବୈଧ ଭାବେ ମାନବ ଚାଲାଣ କରୁଥିବା ଅଭିଯୋଗରେ ୨୦୦୩ ମସିହା ସେପ୍ଟେମ୍ବର ୧୯ତାରିଖରେ ଦଲେରଙ୍କ ବଡ ଭାଇ ସମଶେର ମେହେନ୍ଦିଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା । ସମଶେରଙ୍କୁ ପଚରାଉଚରା ବେଳେ ଦଲେରଙ୍କ ନାଁ ସାମନାକୁ ଆସିଥିଲା । ତାପରେ ତାଙ୍କ ନାଁରେ ମାମଲା ରୁଜୁ ହେବା ସହ ବିଚାର କରି ଦୀର୍ଘ ୧୫ବର୍ଷ ପରେ ଏହି ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଅଭିଯୋଗ ଅନୁଯାୟୀ ୧୯୯୮-୯୯ରେ ଦଲେର ବିଦେଶରେ ସୋ କରିବାକୁ ଯିବା ସମୟରେ ବେଆଇନ ଭାବେ ତାଙ୍କ ସହ ଲୋକମାନଙ୍କୁ ନେଉଥିଲେ । ଏବଂ ସୋ ପରେ ସେମାନଙ୍କୁ ବିଦେଶରେ ଛାଡି ଚାଲି ଆସୁଥିଲେ । ଏଥିପାଇଁ ଦଲେର ସେମାନଙ୍କଠାରୁ ମୋଟା ଅଙ୍କରେ ଟଙ୍କା ମଧ୍ୟ ନେଇଥିବାର ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରେ ୩ଜଣ ଯୁବତୀ ଥିବା ମଧ୍ୟ ଜଣାପଡିଛି । ଏହିଭଳି ୩୦ରୁ ଅଧିକ ମାମଲାରେ ଦଲେରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । କୋର୍ଟ ଦଣ୍ଡାଦେଶ ଦେବା ପରେ ମେହେନ୍ଦିଙ୍କୁ ହେପାଜତକୁ ନେଇଥିଲା ପୋଲିସ୍ ।

ତେବେ କିଛି ସମୟ ପରେ ତାଙ୍କୁ ବେଲ୍ ମିଳିଯାଇଥିବା ଜଣାପଡିଛି ।ଦଲେର ଭାରତର ଜଣେ ବିଶିଷ୍ଠ କଣ୍ଠଶିଳ୍ପୀ ଭାବେ ଜଣାଶୁଣା । ସେ ବିଭିନ୍ନ ସିନେମା ପାଇଁ କଣ୍ଠଦାନ କରିବା ସହ ଷ୍ଟେଜ୍ ସୋ କରୁଥିଲେ । ହିନ୍ଦି ଚଳଚିତ୍ର ମୃତ୍ୟୁଦାତାରେ ସେ କଣ୍ଠଦାନ କରିଥିବା ନା ନା ନା ରେ ସୁପରହିଟ୍ ହୋଇଥିଲା । ସେହିଭଳି ବୋଲେ ତାରା ରା ରା, ଦର୍ଦି ରବ ରବ୍ ଆଲବମ୍ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା ।