ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ! ଆସନ୍ତୁ ଜାଣିବା ନରେନ୍ଦ୍ର ମୋଦିଙ୍କ ନିଆରା ଦିନଚର୍ଯ୍ୟା ବିଷୟରେ . . . . . .

140

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମ ଦିନ । ଏଥିପାଇଁ ମୋଦିଙ୍କୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ- ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶର ସେଲିବ୍ରିଟି, ଖେଳାଳି, ରାଜନେତାଙ୍କ ଠାରୁ ଆରମ୍ଭ କରି ସମାଜର ସବୁ ସ୍ତରର ଓ ସବୁ ବର୍ଗର ଲୋକଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଆସିଥିବା ବେଳେ ବହୁ ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ ରେ । ସେ  ଭାରତର ୧୪ତମ ପ୍ରଧାନମନ୍ତ୍ରୀ । ମୋଦି ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ । ମୋଦି ୨୦୧୪ ଲୋକସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବକ୍ତା ବୋଲି ସମସ୍ତେ ଜାଣନ୍ତି । ଏହାସହିତ ସେ ସାରା ଦିନ ସତେଜ ରୁହନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ମଧ୍ୟ ଥକି ପଡ଼ନ୍ତି ନାହିଁ । ଆଉ ଏହା ପଛର କାରଣ ହେଉଛି ତାଙ୍କର ସନ୍ତୁଳିତ ଆହାର । ଖାଦ୍ୟକୁ ନେଇ ସେ ଭାରି ଯତ୍ନବାନ । ରାତିରେ ବିଳମ୍ୱରେ ଶୋଇଲେ ମଧ୍ୟ ସେ ଭୋର ୫ଟାରେ ବିଛଣା ଛାଡ଼ନ୍ତି । ଏହାପରେ ସେ ଏକ ଘଣ୍ଟା ଯୋଗ କରନ୍ତି ।

ମୋଦି ଶାକାହାରୀ । ଗୁଜରାଟୀ ରୁଟି ଓ ଡାଲି ଖେଚୁଡ଼ି ହେଉଛି ତାଙ୍କର  ପ୍ରିୟ ଖାଦ୍ୟ । ସେ ସବୁବେଳେ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେ ପୋହା, ଇଡ଼ଲି ଓ ଦୋସା ଖାଇବାକୁ ଭଲ ପାଆନ୍ତି । ନବରାତ୍ର ସମୟରେ ସେ ପୂରା ୯ ଦିନ ବ୍ରତ ରଖନ୍ତି ଏବଂ ଦିନରେ କେବଳ ଗୋଟିଏ ଫଳ ଖାଆନ୍ତି । ମୋଦି ତାଙ୍କ ଦିନ ଭୋଜନରେ ଭାତ, ଡାଲି, ପରିବା ତରକାରୀ ଓ ଦହି ଖାଆନ୍ତି । ମୋଦି ଭାଷଣ ଦେବା ସମୟରେ ଉଚ୍ଚ ସ୍ୱରରେ କହିଥାନ୍ତି । ସେଥିପାଇଁ ସେ ତାଙ୍କ ଗଳା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଗଳାକୁ ସବୁବେଳେ ଠିକ୍ ରଖିବା ପାଇଁ ସେ ଉଷୁମ ପାଣି ପିଅନ୍ତି ।