ଫୋନି ଉଜାଡ଼ିଦେଲା ଧୁମଧାମରେ ଝିଅ ବାହାଘରର ସ୍ୱପ୍ନ : ଖାଲି ହାତରେ ବିଦା ହେଲେ ବରକନ୍ୟା 

1,582
କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ଫୋନି କେବଳ ଭୁପୃଷ୍ଠକୁ ଉଜାଡ଼ି ଦେଲାନି, ଲୋକଙ୍କ ଅନେକ ଦିନର ଜମାପୁଞ୍ଜିକୁ ନଷ୍ଟ କରିଦେଲା । ଧୁମଧାମରେ ଝିଅ ବାହାଘରର ସ୍ୱପ୍ନ ମଧ୍ୟ ଅଧାରେ ରହିଗଲା । ବାତ୍ୟା ଦିନ ଥିଲା ଝିଅ ବାହାଘର । ହେଲେ ଫୋନିର ପ୍ରଳୟଙ୍କରୀ ରୂପରେ ଏତେ ଦିନର ସ୍ୱପ୍ନ ଧୂଳିସାତ୍ ହୋଇଗଲା ।
ବାତ୍ୟା ଦିନ ଥିଲା କଟକ ନିବାସୀ କୈଳାଶ ବେହେରାରଙ୍କ ଝିଅ ବାହଘର । ଜୋରରେ ମାଡ଼ି ଆସିଥିଲା ଝଡ଼଼ବର୍ଷା । କୌଣସି ମତେ ରାତି ଭିତରେ ବାହାଘର ସାରିଦେଇଥିଲେ । ରାତି ପ୍ରାୟ ଗୋଟାଏରେ ଝିଅକୁ ଖାଲି ହାତରେ ବିଦା କରିଦେଇଥିଲେ । ବେଶ୍ ଧୁମଧାମରେ ଝିଅ ବାହାଘର ପାଇଁ ବାପା,ମା ସ୍ୱପ୍ନ ଦେଖିଥିଲେ । ଝିଅ ପାଇଁ ତିଆରି ହୋଇଥିବା ଆସବାବପତ୍ର ଠାରୁ ଆରମ୍ଭ କରି କିଣା ହୋଇଥିବା ସମସ୍ତ ସାମଗ୍ରୀ ଫୋନି ଆଁରେ ନଷ୍ଟ ହୋଇଗଲା । ଘର ଉପରେ ବଡ଼ ବଡ଼ ଗଛ ପଡ଼ି ସବୁ ଚୁନା ହୋଇଗଲା ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି କୈଳାଶ ବେହେରା ।
ଘର ଭାଙ୍ଗିଗଲା ପରେ ଗୁହାଳ ଘରେ ବାଧ୍ୟ ହୋଇ ଆଶ୍ରୟ ନେବାକୁ ପଡ଼ିଲା । କେବଳ ମୁଣ୍ଡ ଢ଼ାଙ୍କିବା ପାଇଁ ପଲିଥିନ୍ ଖଣ୍ଡେ ମିଳିଛି । ଏଯାଏଁ ଅନ୍ୟ କୌଣସି ସହାୟତା ମିଳିପାରି ନାହିଁ ବୋଲି କହିଛନ୍ତି ।