ବାତ୍ୟାର ସଠିକ୍ ଆଳକନକୁ ନେଇ ଚର୍ଚ୍ଚାରେ ଆଇଏମଡି ଡିଜି । ନିଜେ ବଖାଣିଲେ ସାଇକ୍ଲୋନ ମ୍ୟାନ୍ ହେବା ପଛର କାହାଣୀ । ପିଲା ଦିନର ବାତ୍ୟା ଅନୁଭୂତି ଓ ସଂଘର୍ଷ ସଜାଇଦେଲା ପାଣିପାଗ ବିଶେଷଜ୍ଞ

665

କନକ ବ୍ୟୁରୋ : ଠିକ୍ ହେଲା ବାତ୍ୟା ଆକଳନ । ସଠିକ୍ ଆଳକନକୁ ନେଇ ଚର୍ଚ୍ଚାରେ ଆଇଏମଡି ଡିଜି । ନୂଆଦିଲ୍ଲୀସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନ ମ୍ୟାନ ଅଫ ଇଣ୍ଡିଆ ବା ଭାରତର ବାତ୍ୟା ମଣିଷ ଭାବେ ବେଶ ଜଣାଶୁଣା । ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଏକ ଲଘୁଚାପ ଅବପାତର ପୁର ନେଇ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମାଡି ଆସୁଥିବା ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଆଉ ପ୍ରତିବର୍ଷ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଥିବା ଓଡିଶାବାସୀଙ୍କ ମନରେ ଛନକା ପଶିଥିଲା । ହେଲେ ଦିଲ୍ଲୀରେ ପାଣିପାଗ କାର୍ଯ୍ୟାଳୟରେ ବସିଥିବା ଜଣେ ଓଡିଆ ଏହି ସମ୍ଭାବ୍ୟ ବାତ୍ୟାର ସ୍ୱରୂପ ଓ ଗତିପଥ ଉପରେ ସତର୍କ ନଜର ରଖିବା ପାଇଁ ୱାର ରୁମରେ ଚଳାଇଥିଲେ ମାରାଥନ କସରତ । ଯାହାଙ୍କୁ ଏ ଦେଶ ସାଇକ୍ଲୋନ ମ୍ୟାନ ଅଫ ଇଣ୍ଡିଆ ବୋଲି ଆକ୍ଷା ଦେଇଛି । ସ୍ୱଭାଗ୍ୟକୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ସାଇକ୍ଲୋନ ମ୍ୟାନ ଅଫ ଇଣ୍ଡିଆ ମୃତ୍ୟୁଞ୍ଜୟ ମହାପାତ୍ର ।

ହେଲେ ସେ କାହିଁକି ଓ କେମିତି ବନିଲେ ସାଇକ୍ଲୋନ ମ୍ୟାନ୍, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଡକ୍ଟର ମହାପାତ୍ରଙ୍କ ଜନ୍ମ ଭଦ୍ରକ ଜିଲ୍ଲାର ଏକ ଛୋଟିଆ ଗାଁରେ । ୧୯୭୧ ମସିହାରେ ଭାରତର ପୂର୍ବତଟରେ ମାଡ ହୋଇଥିଲା ଏକ ଭୀଷଣ ବାତ୍ୟା । ଓଡିଶାର ଉପକୂଳବର୍ତୀ ଗାଁ ଗୁଡିକରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଯେଉଁଥିରୁ ବି ବାଦ ପଡିନଥିଲା ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଗାଁ । ଘଂଟାକୁ ୧୧୫ କିଲୋମିଟର ବେଗରେ ପବନ ଫଳରେ ଉପୁଡି ପଡିଲା ବଡବଡ ଗଛ । କଚ୍ଚା ଘରସବୁ ଭାଙ୍ଗି ମାଟିରେ ମିଶିଗଲା । ସମୁଦ୍ର ଲୁଣା ପାଣିରେ ଉଜୁଡିଗଲା ଏକର ଏକର କ୍ଷେତ । ସେତେବେଳେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବାପା ଥିଲେ ଗାଁର ୱାର୍ଡମେମ୍ବର । ଜନପ୍ରତିନିଧି ହିସାବରେ ସେ ଗାଁସାରା ବୁଲି ଲୋକଙ୍କୁ ବାତ୍ୟାର ଦାଉରୁ ରକ୍ଷା କରିବା ପାଇଁ ପକ୍କା ଘରକୁ ସ୍ଥାନାନ୍ତର କରିଥିଲେ । ହେଲେ ବାତ୍ୟାର ପ୍ରଭାବ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ଅନୁଭବ କରିଥିଲେ ଡକ୍ଟର ମହାପାତ୍ରଙ୍କ ପରିବାର ଓ ଗାଁ ଲୋକ ।

ବାତ୍ୟାରେ ଧାନ କ୍ଷେତସବୁ ଉଜୁଡି ଯିବାରୁ ଦୀର୍ଘ ୧ ବର୍ଷ ଧରି ଖାଇବାକୁ ଚାଉଳ ନଥିଲା । ବର୍ଷେକାଳ ରିଲିଫ ଗହମରେ ବଂଚିବାକୁ ପଡିଲା, ଯାହା ମହାପାତ୍ର ପରିବାରର ୬ବର୍ଷର ଶିଶୁଟିଏ ଉପରେ ଗଭୀର ପ୍ରଭାବ ପକାଇଥିଲା । ପ୍ରକୃତିର ଏଭଳି ପ୍ରଚଣ୍ଡ କୋପ ଦେଖିଥିବା କୋମଳ ଶିଶୁଟି ମନେମନେ ବାତ୍ୟା ଉପରେ ବିଜୟ ପାଇଁ ସଂକଳ୍ପ ନେଇ ସାରିଥିଲା । ପ୍ରକୃତିକୁ ପୋଷା ମନାଇବା ଦିଗରେ ସବୁ ନିଷ୍ଠା ଅଜାଡି ଦେଇଥିଲା ସେଦିନର ସେହି ଶିଶୁ । ବଡ ହେବାପରେ ଫିଜିକ୍ସରେ ମାଷ୍ଟର୍ସ ଡିଗ୍ରୀ କରି ଚାନ୍ଦିପୁରସ୍ଥିତ ଡିଆରଡିଓ ଲାବୋରେଟୋରୀରେ ଚାକିରି ଜୀବନ ଆରମ୍ଭ କରିଥିଲେ ବି ପରବର୍ତୀ ସମୟରେ ପାଣିପାଗ ବିଜ୍ଞାନ ଲାଗି ଆକର୍ଷିତ ହୋଇଥିଲେ ।

ଦେଶରେ ପାଣିପାଗକୁ ନେଇ ପୂର୍ବାନୁମାନ କରୁଥିବା ସର୍ବୋଚ୍ଚ ସଂସ୍ଥାର ନେତୃତ୍ୱ ନେବା ପୂର୍ବରୁ ସେ ସାଇକ୍ଲୋନ ୱାର୍ଣ୍ଣିଂ ସେଂଟର ବା ବାତ୍ୟା ସତର୍କ ସୂଚନା କେନ୍ଦ୍ରର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ । ବାତ୍ୟାର ସ୍ୱରୂପ ଓ ଏହାର ଗତପଥକୁ ନେଇ ତାଙ୍କର ଆକଳନ ବାରମ୍ବାର ଠିକ ହୋଇଆସିଛି । ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ ଏବି ୨୦୧୮ରେ ତିତିଲି ଓଡିଶାରେ ମାଡ ହୋଇଥିବାବେଳେ ତାଙ୍କରି ପୂର୍ବାନୁମାନ କାରଣରୁ କ୍ଷୟକ୍ଷତିକୁ ଯଥେଷ୍ଟ ପରିମାଣରେ କମ୍ କରିପାରିଥିଲେ ରାଜ୍ୟ ସରକାର । ବିଭିନ୍ନ ମଡେଲକୁ ଅନୁସରଣ କରି ବାତ୍ୟାକୁ ଟ୍ରାକ କରିବାଠାରୁ ଆରମ୍ଭ କରି ଏହାର ଗତିପଥ ନେଇ ସଠିକ ଆକଳନ ତାଙ୍କୁ ଗତବର୍ଷ ଅଗଷ୍ଟରେ ଭାରତୀୟ ପାଣିପାଗ ବିଭାଗର ସର୍ବୋଚ୍ଚ ଆସନରେ ବସାଇଛି ।

ଗତବର୍ଷ ନଭେମ୍ବରରେ ବୁଲବୁଲକୁ ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ କରି ଏଥର ମଧ୍ୟ ଅମ୍ଫାନକୁ ନେଇ ଆଇଏମଡିର ପୂର୍ବାନୁମାନ ଓ ତଥ୍ୟ ଏକଦମ ସଠିକ ସାବ୍ୟସ୍ତ ହୋଇଛି । ବାତ୍ୟା ଅମ୍ଫାନ ତାର ପୂର୍ବନୁମାନ ଅନୁସାରେ ନିର୍ଦ୍ଦିଷ୍ଟ ଗତିପଥରେ ଯାଇ ପଶ୍ଚିମବଙ୍ଗରେ ସ୍ଥଳଭାଗକୁ ଛୁଇଁଛି । ବାତ୍ୟା ସମୁଦ୍ର ମଧ୍ୟରେ ଗତିକଲାବେଳେ ଉତର-ଉପକୂଳ ଓଡିଶାରେ ଯେଭଳି ପ୍ରଭାବ ପକାଇବା ନେଇ ଆଇଏମଡି ସତର୍କ କରିଥିଲା ତାହା ମଧ୍ୟ ଦେଖିବାକୁ ମିଳିଛି । ଭାରତର ସାଇକ୍ଲୋନ ମ୍ୟାନ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ ପୁଣିଥରେ ସତ ସାବ୍ୟସ୍ତ ହୋଇଛି । ଭଦ୍ରକରେ ଜନ୍ମିତ ଏହି ବିଚକ୍ଷଣ ବ୍ୟକ୍ତିତ୍ୱ ଫିଜିକ୍ସରେ ମାଷ୍ଟର୍ସ ଡିଗ୍ରୀ କରିିବା ପରେ ପ୍ରଥମେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପରୀକ୍ଷାଗାରରେ ଯୋଗ ଦେଇଥିଲେ । ହେଲେ ପାଣିପାଗକୁ ନେଇ ପୂର୍ବାନୁମାନର ଆକର୍ଷଣ ତାଙ୍କୁ ଭାରତୀୟ ପାଣିପାଗ ବିଭାଗକୁ ଟାଣି ନେଇଛି ।