ମହାରାଷ୍ଟ୍ର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କରିବ ନିସର୍ଗ । ୪ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ

348

କନକ ବ୍ୟୁରୋ : ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବା ପୂର୍ବରୁ ମହାରାଷ୍ଟ୍ର ଉପକୂଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ଘଂଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଲାଗି ରହିଛି । ପବନ ଯୋଗୁଁ କେତେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ସେହିପରି ସମୁଦ୍ର ଅଶାନ୍ତ ହୋଇପଡିଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଥିବା ବେଳେ ଏବେ ବାତ୍ୟା ବିପଦ ପ୍ରଶାସନର ନିଦ ହଜାଇ ଦେଇଛି ।

ପାଲଘର ଜିଲ୍ଲାର ଉପକୂଳ ଅଂଚଳର ଗାଁକୁ ଖାଲି କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । କେବଳ ପାଲଘର ଜିଲ୍ଲାରୁ ୨୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି ରହିଛି । ଏନଡିଆରଏଫ ଟିମ ବାତ୍ୟା ପ୍ରଭାବ ପକାଇବାକୁ ଥିବା ଅଂଚଳରେ ମୁତୟନ ହୋଇଛନ୍ତି । ସେହିପରି ତଟୀୟ ସୁରକ୍ଷା ବାହିନୀ ମଧ୍ୟ ଅଲର୍ଟ ରହିଛନ୍ତି । ଏହାଛଡା ଆବଶ୍ୟକ ହେଲେ ଲୋକଙ୍କୁ ଏୟାରଲିଫ୍ଟିଂ ଜରିଆରେ ଉଦ୍ଧାର କରିବାକୁ ମଧ୍ୟ ମହାରାଷ୍ଟ୍ର ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।