କନକ ବ୍ୟୁରୋ : ଆଗୁଆ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଫୋନି । ଆସନ୍ତାକାଲି ୮ଟାରୁ ୧୦ ମଧ୍ୟରେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ବାତ୍ୟା ଫୋନି । ବର୍ତ୍ତମାନ ସମୟରେ ପୁରୀଠାରୁ ୩୨୦ କିମି ଦୂରରେ ରହିଛି ଫୋନି । ବର୍ତ୍ତମାନ ଧୀରେ ଧୀରେ ଘଂଟା ପ୍ରତି ଏବେ ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ମାଡ଼ୁଛି ସାମୁଦ୍ରିକ ବାତ୍ୟା । ଏଥିପାଇଁ ୨୪ ଘଂଟା ବିମାନ ଚଳାଚଳ ବନ୍ଦ ରହିବ । ଅନ୍ୟପଟେ ବାତ୍ୟା ପାଇଁ ଯୁକ୍ତ ୨ ଖାତା ମୁଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି ।
ବାତ୍ୟା ଫୋନିକୁ ନେଇ ଆଇଏମଡ଼ି ଡିଜିଙ୍କ ପ୍ରେସମିଟ୍ କରିଛନ୍ତି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସେ ସୂଚନା ଦେଇଛନ୍ତି । ହେଲେ ଲ୍ୟାଣ୍ଡଫଲ୍ ବେଳେ ଫୋନିର ପ୍ରଭାବ ଓଡ଼ିଶାର ଅଧିକ ରହିବ । ଅର୍ଥାତ ଫୋନି ପାଇଁ ଅଧିକ ପ୍ରଭାବିତ ହେବ ଓଡ଼ିଶା । ତେବେ ଫୋନି ପାଇଁ ରାଜ୍ୟରେ ଏବେ ବି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଜାରି ରହିଛି ।
ସେପଟେ ବାତ୍ୟା ଫୋନି ଉପରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଜର । ପ୍ରଭାବିତ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ରିଲିଫ ଓ ରେସ୍କ୍ୟୁ ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ପ୍ରଭାବିତ ରାଜ୍ୟ ଉରପରେ ନଜର ରଖିବାକୁ କେନ୍ଦ୍ରର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ସମେତ ଆନ୍ଧ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗର ଉଚ୍ଚ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦକ୍ଷିଣ ପୁରୀରେ ବାତ୍ୟା ଫୋନି ଭୂଭାଗ ଛୁଇଁପାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ବାତ୍ୟା ପ୍ରଭାବିତ ରାଜ୍ୟରେ ରିଲିଫ ଓ ରେସ୍କ୍ୟୁ ପାଇଁ କୋଷ୍ଟଗାର୍ଡର ଜାହାଜ ପ୍ରସ୍ତୁତ ରଖାଯାଇଛି । ନେଭିର ହେଲିକପ୍ଟର ବି ରେସ୍କ୍ୟୁରେ ସାମିଲ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାସହ ରିଲିଫ ସାମଗ୍ରୀ ବଂଟନରେ ନିୟୋଜିତ ହେବ ଚେତକ ହେଲିକପ୍ଟର ।