୧୬ କିମି ବେଗରେ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି ଫୋନି ! କେତେକ ସ୍ଥାନରେ ୨୦୦ କିମି ଛୁଇଁପାରେ ପବନର ବେଗ

410

କନକ ବ୍ୟୁରୋ : ୧୬ କିମି ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫୋନି । ସାମୁଦ୍ରିକ ବାତ୍ୟା ‘ଫନି’ ଏବେ ପୁରୀ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଥାଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। କେତେକ ସ୍ଥାନରେ ପବନର ବେଗ ୨୦୦ କିମି ଛୁଇଁପାରେ । ସମୁଦ୍ରରେ ୧.୫ମିଟର ଉଚ୍ଚର ଜୁଆର ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳଛି । ଶୁକ୍ରବାର ମଧ୍ୟାହ୍ନ ପରେ ବାତ୍ୟା ପୁରୀ ନିକଟବର୍ତ୍ତୀ ସାତପଡ଼ା ପାଖରେ ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ତେବେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ବାତ୍ୟା ଦିନ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ।

ବାତ୍ୟା ‘ଫନି’କୁ ଆଖି ଆଗରେ ରଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପିପିଲିରେ ସାଇରନ୍ ବଜାଇ ସତର୍କ କରାଯାଇଛି । ସେହିପରି କାକଟପୁର -ଅସ୍ତରଙ୍ଗର ତଳିଆ ଅଂଚଳ ଓ କଚ୍ଚା ଘରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଅସ୍ତରଙ୍ଗ ବ୍ଲକର ଛେନୁ, ତତ୍ପାଘର, ଉଦୟକଣି , କଟକଣା ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଉଛି । ତଣ୍ଡାଘରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ନିଆଯାଇଛି । ତେବେ ସମୁଦ୍ରଠାରୁ ମାତ୍ର ୧୦୦ମିଟର ଦୂରରେ ତଣ୍ଡାଘର ବାତ୍ୟା ଆଶ୍ରୟ ସ୍ଥଳୀ ଥିବାରୁ ସେଠାରୁ ପୁଣି ଚିତ୍ରେଶ୍ୱର ହାଇସ୍କୁଲକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ଚନ୍ଦ୍ରଭାଗରେ ବି ସ୍ଥାନାନ୍ତରଣ ପ୍ରକିୟାକୁ ଜୋରଦାର କରିଛି ସ୍ଥାନୀୟ ପ୍ରଶାସନ । ଲୋକମାନଙ୍କୁ ସୁରକ୍ଷିତ ଭବେ ସମୁଦ୍ର ନିକଟବର୍ତ୍ତି ଅଂଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ଓ ତଳିଆ ଅଂଚଳରୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନିଆଯାଉଛି । ସେହିପରି ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସମୁଦ୍ରକୁ ଯାଇ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଛନ୍ତି ।