ଅବଢ଼ା ବଜାର ଉପରେ ଫୋନି ମାଡ଼ : ଆଗକୁ ଶ୍ରୀମନ୍ଦିରରେ ଦେଖାଦେବ କୁଡ଼ୁଆ ସଂକଟ,ବଢ଼ିବ ମହାପ୍ରସାଦ ଦର

119

କନକ ବ୍ୟୁରୋ : ପରୋକ୍ଷରେ ଅବଢ଼ା ଉପରେ ବାଜିଛି ଫୋନିର ମାଡ଼। ଆଗକୁ ଶ୍ରୀମନ୍ଦିରରେ ଅବଢ଼ା ପାଇଁ କୁଡ଼ୁଆ ସଂକଟ ଜଳ ଜଳ ହୋଇ ଦିଶୁଛି । ଯେତିକି ମହଜୁଦ୍ ଅଛି ମାସେ ପର୍ଯ୍ୟନ୍ତ ସ୍ଥିତି ସମ୍ଭାଳି ହେବ, ରଥଯାତ୍ରା ବେଳକୁ କୁଡ଼ୁଆ ଅଭାବ ମହାପ୍ରସାଦ ଦର ଉପରେ ଭାରି ପଡ଼ିବ। କାର୍ତ୍ତିକ ମାସ ବେଳକୁ ସ୍ଥିତି ସାଂଘାତିକ ହେବ ବୋଲି ଏବେଠୁ ସୁଆରମାନେ ଚେତାବନୀ ଦେଲେଣି । ପୁରୀ ଜିଲ୍ଲା ବାହାରୁ କୁଡ଼ୁଆ ଆଣିବାକୁ ପଡ଼ିପାରେ ବୋଲି ସେମାନେ କହିଲେଣି । ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ପାଇଁ ବଡ଼ଠୁ ଛୋଟ ପର‌୍ୟ୍ୟନ୍ତ ଦୈନିକ ୧୨ ହଜାରରୁ ଅଧିକ କୁଡ଼ୁଆ ଦରକାର ପଡ଼ୁଛି । ପର୍ବପର୍ବାଣୀରେ ଏହି ସଂଖ୍ୟା ୧୫୦୦୦ ବା ତାଠୁ ଅଧିକ। ଏହି ସବୁ କୁଡ଼ୁଆ କୁମ୍ଭାରପଡ଼ା, ଛଇତନା, ବ୍ରହ୍ମଗିରି, ସାକ୍ଷୀଗୋପାଳ ଭଳି ଅଞ୍ଚଳରୁ ଆସୁଛି । ସୁଆର ନିଯୋଗ କୁମ୍ଭକାରମାନଙ୍କଠାରୁ କୁଡ଼ୁଆ କିଣି ମହଜୁଦ୍ ରଖୁଛି ।

ଏହା ପରେ ସେହି କୁଡ଼ୁଆକୁ ସୁଆରମାନଙ୍କୁ ଦେଉଛି । ଆନୁମାନିକ ହିସାବ ଅନୁଯାୟୀ, ଭୋଗ ରାନ୍ଧିବା ପାଇଁ ପ୍ରତିଦିନ ୫ ଶହରୁ ୫୫୦ ପର୍ଯ୍ୟନ୍ତ ବାଇ ହାଣ୍ଡି ଆବଶ୍ୟକ ହୋଇଥାଏ । ସେହିପରି ସମାଧି ହାଣ୍ଡି ୭ ଶହରୁ ୭୫୦, ଦାସିଆ ୮୦୦ରୁ ୯୦୦, ବଡ଼ମଠ ୯୦୦ରୁ ୧ ହଜାର ଏବଂ ସାନମଠ, ନମ୍ବରୀ ଓଳିକୁ ମିଶାଇଲେ ଦୈନିକ ଅବଢ଼ା ପାଇଁ ୬ରୁ ୭ ହଜାର ଆବଶ୍ୟକ। ପର୍ବପର୍ବାଣୀରେ ଏହା ୫୦% ବଢ଼ିଯାଏ । ଦୈନିକ ଏତେ ସଂଖ୍ୟକ କୁଡ଼ୁଆ ଆବଶ୍ୟକ ହେଉଥିବାରୁ ନିଯୋଗ ପ୍ରାୟ ୧ରୁ ୨ ମାସ ପର୍ଯ୍ୟନ୍ତ ଆବଶ୍ୟକ କୁଡ଼ୁଆ ମହଜୁଦ୍ ରଖିଥାଏ । ଏବେ ଯେତିକି କୁଡ଼ୁଆ ରହିଛି ତାହା ଆହୁରି ପ୍ରାୟ ୧ ମାସ ଚାଲିଯିବ ।

ମାତ୍ର ଏହା ପରେ ହେବ ସାଂଘାତିକ ଅଭାବ। ଫୋନି ମାଡ଼ରେ ସମସ୍ତ କୁମ୍ଭକାରମାନଙ୍କର ଚକ, ଶାଳ ଓ ଭାଟି ସବୁ ନାରଖାର ହୋଇଯାଇଛି । ଏହାକୁ ସଜାଡ଼ିବା ପାଇଁ ସମୟ ଯେତିକି ଆବଶ୍ୟକ, ତାହାଠୁ ବଡ଼ ଆବଶ୍ୟକତା ହେଉଛି ଅର୍ଥ । ଅନେକ କୁମ୍ଭକାର ହାଣ୍ଡି ବିକିଲେ ପରିବାର ଚଳାନ୍ତି । ତେଣୁ ସେମାନେ ଭାଟି ସଜାଡ଼ିବାକୁ ସକ୍ଷମ ନୁହନ୍ତି । ତେଣୁ ଚିନ୍ତାରେ ପଡ଼ିଛନ୍ତି । ଏହାବ୍ୟତୀତ ବର୍ଷା ପୂର୍ବରୁ ଶାଳ ପ୍ରସ୍ତୁତ ହୋଇ ମାଟି ନଆସିଲେ, କୁଡ଼ୁଆ ଗଢ଼ିବା ଓପୋଡ଼ିବା କାଠିକାର ବ୍ୟାପାର ହୋଇଯିବ । ଏଭଳି ସ୍ଥିତିରେ କୁଡ଼ୁଆ ବଡ଼ ଦେଉଳକୁ ଯୋଗାଇବା ସମ୍ଭବ ହେବନାହିଁ ବୋଲି କୁରାଳ ମହାସଂଘର ସରୋଜ ମେହେର କହିଛନ୍ତି ।