ଫୋନି ବିତ୍ପାତରେ ଛାରଖାର ହୋଇଯାଇଛି ବାଲୁଖଣ୍ଡ : ଆକାଶମାର୍ଗରୁ ଆସିଲା ଅଭୟାରଣ୍ୟର ଚିତ୍ର, ସେପେଟ କାଲିଠୁ ଡ୍ରୋନ ଖୋଜିବ ନିଖୋଜ ହରିଣଙ୍କ ନିର୍ଦ୍ଦିଷ୍ଟ ଠିକଣା

87

କନକ ବ୍ୟୁରୋ : ଆକାଶ ମାର୍ଗରୁ ଆସିଲା ବାଲୁଖଣ୍ଡ ଅଭୟାରଣ୍ୟ ଚିତ୍ର । ଛାରଖାର ହୋଇଯାଇଛି ଅଭୟାରଣ୍ୟ । ବାତ୍ୟା ଉଜାଡି ଦେଇଛି ଅଭୟାରଣ୍ୟର ସବୁଜିମା । ଜୁଆଡେ ଅନେଇଲେ ବିପର୍ଯ୍ୟୟର ବିକଳ ଚିତ୍ର । ଗଛ ଗୁଡିକ ମୂଳରୁ ଉପୁଡି ଭୂଇଁରେ ଲୋଟିଛି । କାଁ ଭାଁ ଗୋଟେ ଯୋଡେ ଗଛ ଥୁଂଟା ହୋଇ ଛିଡା ହୋଇଛି । ଭୂଇଁରେ ପଡିଥିବା ପତ୍ର ବିହୀନ ଗଛର ଶାଖା ପ୍ରଶାଖା ଆକାଶମାର୍ଗରୁ ବାତ୍ୟା ଭୟାଭବହତାକୁ ସ୍ପଷ୍ଟ ବୟାନ କରୁଛି । ବାତ୍ୟା ଫୋନି ଅଭୟାରଣ୍ୟକୁ ଏପରି ଦଳି ମକଚି ଦେଇଛି ଯେ ସେଠାରୁ ସବୁଜିମା ଗାଏବ ହୋଇଯାଇଛି । ୮୭ କିଲୋମିଟ ବ୍ୟାପୀ ଏହି ଅଭୟାରଣ୍ୟର ପ୍ରାୟ ୩୦ ବର୍ଗ କିଲୋମିଟର ଜଙ୍ଗଲକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ବାତ୍ୟା ଫୋନି । ପ୍ରାକୃତିକ ପରିବେଶ, ସବୁଜିମାର ବଳୟ ଓ ଚିତ୍ରାହରିଣ ବିଚରଣ ପ୍ରାୟ ୧୫ ଦିନ ପୂର୍ବରୁ ଯେଉଁଠାରେ ଦେଖିବାକୁ ମିଳୁଥିଲା ।

ଏବେ ସେଠାରେ ଖାଁ ଖାଁ ନୀରବତା ରାଜୁତି କରୁଛି । ଡ୍ରୋନ କ୍ୟାମେରାର ଚିତ୍ର ବୟାନ କରୁଛି, ଫୋନି ସ୍ଥଳଭାଗ ଛୁଇଁଲା ପରେ କିପରି ତାଣ୍ଡବ ରଚିଥିଲା ବାଲୁଖଣ୍ଡ ଅଭୟାରଣ୍ୟରେ । ଏପରି ସ୍ଥିତିରେ ସେଠାରେ ହରିଣ ରହିବା କିପରି ସମ୍ଭବ । ତେବେ ବାତ୍ୟା ପୂର୍ବାଭାଷ ପାଇ ଅଭୟାରଣ୍ୟରୁ ହରିଣ ଘଂଚ ଜଙ୍ଗଲକୁ ଚାଲିଯାଇଥିବା ପିସିସିଏଫ ସ୍ପଷ୍ଟ କରିଛନ୍ତି । ଏପରିକି ହରିଣ ପାଣି ପିଇବାକୁ ଆସିଥିବା ବେଳେ ଠାବ କରାଯାଇଥିବା ମଧ୍ୟ ବନ ବିଭାଗ ଦାବି କରିଛି । ଗୋଟିଏ ହରିଣର ମୃତଦେହ ଜବତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଅଭୟାରଣ୍ୟରୁ ନିଖୋଜ ହୋଇାଯାଇଥିବା ହରିଣଙ୍କୁ ଆସନ୍ତାକାଲି ଡ୍ରୋନ କ୍ୟାମେରା ସହାୟତାରେ ଖୋଜାଯିବାର କାର୍ଯ୍ୟକ୍ରମ ରହିଛି ।

Comments are closed.