୫ ବାତ୍ୟା ପ୍ରଭାବିତ ଜିଲ୍ଲାରେ ଧୀରେ ଧୀରେ ସ୍ବାଭାବିକ ହେଉଛି ସ୍ଥିତି : ୯୫%ରୁ ଅଧିକ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିଲାଣି ରିଲିଫ

57

କନକ ବ୍ୟୁରୋ : ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପନୁଃସଂସ୍ଥାପନ ଓ ରିଲିଫ ବିତରଣ କାର୍ଯ୍ୟ ଜୋରଦାର ହେଉଛି । ବର୍ତ୍ତମାନ ସୁଦ୍ଧା ୯୫% ରୁ ଅଧିକ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିଲିଫ ମିଳିଛି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ଥିତି ସୁଧୁରୁଥିବାବେଳେ ପୁରୀ ଜିଲ୍ଲାକୁ ଛାଡ଼ି ସବୁଠି ପ୍ରାୟ ସ୍ବାଭାବିକ ପରିସ୍ଥିତି ଫେରିଲାଣି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି ।

ଆଜି ଜୟଦେବ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂହ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଜିଲ୍ଲାରେ ଏବେ ବାତ୍ୟା ସହାୟତା ପ୍ରଦାନ କରାଯାଉଥିବାବେଳେ ୯୫.୨୯% ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଛି । ୯୪.୬୧% ହିତାଧିକାରୀଙ୍କୁ ଚାଉଳ ଦିଆଯାଇଛି । ମୋଟ୍‌ ୭ଲକ୍ଷ ୫୩ହଜାର ୩୭୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୫ଲକ୍ଷ ୨୦ହଜାର ୩୦୮ଜଣଙ୍କୁ ପଲିଥିନ୍ ବା ପଲିଥିନ୍ ପାଇଁ ୫୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ୫ଜିଲ୍ଲାରେ ୯୦.୬୪% ଲୋକଙ୍କୁ ଅତିରିକ୍ତ ମାସିକ ଭତ୍ତା ପ୍ରଦାନ କରାଯାଇଛି ।

ଏହାବାଦ୍ ବ୍ୟାଙ୍କ ସେବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ, ଏଟିଏମ୍‌ ସେବା, ବିଦ୍ୟୁତ ପୁନଃସଂଯୋଗ ସ୍ଥିତି ସୁଧୁରୁଥିବାବେଳେ ପୁରୀ ଜିଲ୍ଲାରେ କେବଳ ବିଦ୍ୟୁତ ପୁନଃସଂଯୋଗ ଏବଂ ଏଟିଏମ୍‌ ସେବା ସ୍ଥିତି ସ୍ବାଭାବିକ ହୋଇପାରିନି । ଯଥାସମ୍ଭବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି ସଞ୍ଜୟ ସିଂହ କହିଛନ୍ତି ।

 

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମୋଟ୍‌ ୧୭,୯୨,୧୨୫ଜଣ ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୧୭,୦୭,୬୬୯ଜଣଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାରେ ୯୩.୭୪%, ଖୋର୍ଦ୍ଧା ଜିଲ୍ଲାରେ ୯୭.୮୩%, ଜଗତସିଂହପୁର ଜିଲ୍ଲାରେ ୯୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫.୭୩%, କଟକ ଜିଲ୍ଲାରେ ୯୭%, ବିଏମ୍‌ସିରେ ୮୬.୬୨% ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଛି ।

ସେହିପରି ଏହି ସବୁ ସ୍ଥାନରେ ଯଥାକ୍ରମେ ୯୬.୬୬%, ୯୯%, ୯୩.୨୫%, ୯୮%, ୭୬.୭୪%, ୯୦.୫୨% ହିତାଧିକାରୀଙ୍କୁ ଚାଉଳ ବଣ୍ଟା ଯାଇଛି । ଏହାସହ ପୁରୀ ଜିଲ୍ଲାରେ ପୁରୀ ଜିଲ୍ଲାରେ ୮୦.୪୩%, ବିଏମ୍‌ସି ଅଞ୍ଚଳରେ ୮୬.୬୨%, ଖୋର୍ଦ୍ଧା ଜିଲ୍ଲାରେ ୪୯.୨୬% ହିତାଧିକାରୀଙ୍କୁ ପଲିଥିନ୍ କିମ୍ବା ପଲିଥିନ୍ ଜନିତ ସହାୟତା ପ୍ରଦାନ କରାଯାଇଛି । ଅନୁରୂପ ଭାବେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଯକ, ବିଏମ୍‌ସି, କଟକ, ଖୋର୍ଦ୍ଧା ଜିଲ୍ଲାରେ ମୋଟ୍‌ ୮୦୮୩୪୧ ଭତ୍ତାଧାରୀଙ୍କ ମଧ୍ୟରୁ ୭୩୨୭୫୭ ଜଣଙ୍କୁ ଅତିରିକ୍ତ ମାସକର ଭତ୍ତା ପ୍ରଦାନ କରାଯାଇଛି ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି ସ୍ବାସ୍ଥ୍ୟ ସେବା ପ୍ରଭାବିତ ନହେବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପର ରହିଛି । ପ୍ରଭାବିତ ଅଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଡାକ୍ତର, ସ୍ବାସ୍ଥ୍ୟ ସହାୟକ, ଭ୍ରାମ୍ୟମାଣ ଡାକ୍ତରୀ ଦଳ ନିୟୋଜିତ ରହିଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକ ଉପରେ ବିଶେଷ ନଜର ରହିଛି। ୨ମାସରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ କିଶୋରୀ ଓ ମହିଳାମାନଙ୍କୁ ୨୪ଲକ୍ଷ ସାନିଟାରି ନାପକିନ୍ ବଣ୍ଟାଯିବ । ଏପର୍ଯ୍ୟନ୍ତ ୨୦,୧୬୧ଟି ସଫେଇ ଅଭିଯାନ ଗାଁ କଲ୍ୟାଣ ସମିତିଗୁଡ଼ିକ ଦ୍ବାରା ସଂପନ୍ନ କରାଯାଇଛି । ୮୯,୦୯୧ ଖୋଲା ଜଳ ଉତ୍ସକୁ ବିଶୋଧନ କରାଯାଇଛି । ୫୨ଟି ଜଳଉତ୍ସର ପାଣି ବ୍ୟବହାର ଅନୁପଯୋଗୀ ବୋଲି ଚିହ୍ନଟ ହୋଇଥିବାରୁ ଏହାକୁ ବ୍ୟବହାର ନକରିବାକୁ କୁହାଯାଇଛି । ସେହିପରି ୬୦ଟି ଡେଙ୍ଗୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲେ ହେଁ ଏହା ନେଗେଟିଭ୍ ବାହାରିଛି । ବାତ୍ୟା ପ୍ରଭାବିତ କୌଣସି ଅଞ୍ଚଳରେ ମହାମାରୀ ବ୍ୟାପି ନାହିଁ ।

ଗ୍ରାମୀଣ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଉଥିବାବେଳେ ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ପାନୀୟ ଜଳ ଯୋଗାଣ ଶତ ପ୍ରତିଶତ ସ୍ବାଭାବିକ ହୋଇଛି । ଯେଉଁଠି ଜେନେରେଟର ନାହିଁ ସେଠାରେ ଡିଜି ସେଟ୍‌ ମାଧ୍ୟମରେ ଜଳ ଯୋଗାଣ ହେଉଛି ।