ବାତ୍ୟା ‘ଡାଏ’ ପ୍ରଭାବ, ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା : ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ସରକାରଙ୍କ ନିର୍ଦ୍ଦେଶ

65

କନକ ବ୍ୟୁରୋ : ଅଧରାତିରେ ଗୋପାଳପୁର ଟପିଲା ବାତ୍ୟା ଡାଏ । ଗତକାଲି ରାତି ପ୍ରାୟ ୧୨ଟା ୪୦ ବେଳକୁ ଗୋପାଳପୁରଠାରେ ମାଟିକୁ ଛୁଇଁଛି ଏହି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା । ଭୁପୃଷ୍ଠକୁ ଛୁଇଁଲା ବେଳେ ଏହାର ବେଗ ଘଂଟାକୁ ପ୍ରାୟ ୨୦ କିଲୋମିଟର ଥିଲା । ଏହା ସହ ଏହି ସମୟରେ ପ୍ରାୟ ୬୦ କିଲୋମିଟର ବେଗରେ ପବନ ବୋହିଥିଲା । ମାଟିକୁ ଛୁଇଁବା ସହ ଏହି ବାତ୍ୟା ଧିରେ ଧିରେ ଦୁର୍ବଳ ହୋଇଛି । ଏହା ଏବେ ଡିପ ଡିପ୍ରେସନର ରୂପ ନେଇଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ର ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଦିନ ଧରି ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମହାବାତ୍ୟା, ଫାଇଲିନ, ହୁଡ୍ହୁଡ୍ ପରି ବତ୍ୟାକୁ ଅଙ୍ଗେନିଭାଇଥିବା ଗୋପାଳପୁରବାସୀ ବତ୍ୟା ଡାଏକୁ ନେଇ ଚିନ୍ତିତ ଥିଲେ । ତେଣୁ ବିଳମ୍ବିତ ରାତି ଯାଏଁ ସେମାନେ ଚେଇଁ ରହିଥିଲେ । ଗୋପାଳପୁରଠାରେ ବାତ୍ୟା ଭୂପୃଷ୍ଠ ଛୁଇଁବା ପରେ ପବନ ବେଗ କମିଛି । କିନ୍ତୁ ସ୍ଥାନୀୟ ଅଂଚଳରେ ପ୍ରବଳ ବର୍ଷା ହେଉଛି । ଏହା ସହ ଜିଲ୍ଲାପାଳଙ୍କ ଆଦେଶରେ ବିଭିନ୍ନ ବିଭାଗର କର୍ମଚାରୀ ସତର୍କ ରହିଥିଲେ ।

ବାତ୍ୟା ଡାଏର ପ୍ରଭାବରେ ଅଶାନ୍ତ ହୋଇପଡିଛି ସମୁଦ୍ର । ପୁରୀ ଉପକୂଳରେ ବିଶାଳ ଜୁଆର ଆସି କୂଳରେ ମାଡ ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରକୁ ମଧ୍ୟ ଜୁଆର ମାଡି ଆସିଛି । ସେପଟେ ପୁରୀର ପେଣ୍ଠକଟାରେ ଲୋକଙ୍କୁ ଗତକାଲି ରାତିରେ ସ୍ଥାନାନ୍ତର କରାଗଲା । କେତେକ ସ୍ଥାନରେ ପ୍ରବଳ ପବନ ଯୋଗୁଁ ଗଛଡାଳ ଭାଙ୍ଗିପଡିଥିବା ଦେଖିବା ମିଳିଛି । ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା ପାଇଁ ତୟାର ହୋଇ ରହିଥିଲା । ସରକାରଙ୍କ ନିର୍ଦ୍ଦେଶ ପରେ ଆବଶ୍ୟକ ହେଲେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବ ବୋଲି ଜଣାପଡିଛି ।

source : The Indian Express

ପଶ୍ଚିମବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଓଡିଶା ଉପକୂଳ ଛୁଇଁବା ପରେ ଏହା ଦିଗ ବଦଳାଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଓଡିଶା ଦେଇ ଛତିଶଗଡ ମୁହାଁ ହୋଇଛି ବାତ୍ୟା ଡାଏ । ତେବେ ଏହାର ପ୍ରଭାବରେ ବର୍ଷା ଲାଗି ରହିବ । ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା,ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।