ବାତ୍ୟାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାକୁ ଆଲର୍ଟ ଜାରି । ୪ ଜିଲ୍ଲାକୁ ଅଧିକ ବିପଦ । ସତର୍କ କ‌ଲେ ସରକାର

3,044

କନକ ବ୍ୟୁରୋ :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ମୁଖ୍ୟଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍ କମିସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ବିଶଦ ଆଲୋଚନା କରିଛନ୍ତି। ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତେବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଭଦ୍ରକକୁ ବେଶୀ ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଥିବାରୁ ଏସବୁ ଜିଲ୍ଲାମାନେ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି।

ବୈଠକରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି, ସବୁଠୁ ଖରାପ ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଦରକାର। ଏହି ବାତ୍ୟାକୁ ହାଲୁକା ଭାବେ ନ ନେଇ କିଭଳି ଜଣେ ବି ମୃତାହତ ନ ହୁଅନ୍ତି, ସେ ଦିଗରେ ଦୃଷ୍ଟି ଦେବା ଲାଗି ଜିଲ୍ଲାପାଳମାନେ ପଦକ୍ଷେପ ନେବେ।

ସ୍ବତନ୍ତ୍ର ରିଲିଫ୍ କମିସନର ଶ୍ରୀ ଜେନା କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେହେତୁ କିଛି ବାତ୍ୟା ଆଶ୍ରୟସ୍ଥଳୀ ବା ସ୍କୁଲକୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି କରାଯାଇଛି, ଏଣୁ ସେସବୁ ଜିଲ୍ଲାରେ ପ୍ରଶାସନ ବିକଳ୍ପ ପ୍ରସ୍ତୁତି କରୁଛନ୍ତି। ବିଶେଷକରି ସମୁଦ୍ରକୂଳରୁ ତିନି କିଲୋମିଟର ମଧ୍ୟରେ ଥିବା ସମସ୍ତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦିଆଯାଇଛି। ସେହିଭଳି ଯେତେ ସବୁ ସ୍କୁଲ ବା କଲେଜକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରାଯିବ, ସେଠାରେ ଦୁଇ ଜଣ ଶିକ୍ଷକ ବା ଅଧ୍ୟାପକଙ୍କୁ ଦାୟିତ୍ବ ଦିଆଯିବ। ସେମାନଙ୍କ ନାମ ସଂଗ୍ରହ କରି ରଖିବାକୁ ପ୍ରଶାସନକୁ କୁହାଯାଇଛି। ଏହି ଶିକ୍ଷକମାନେ ସଂପୃକ୍ତ କେନ୍ଦ୍ର ଦାୟିତ୍ବରେ ରହିବେ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ।

ଜିଲ୍ଲାପାଳମାନଙ୍କୁ କୁହାଯାଇଛି, ସେମାନେ ପରିସ୍ଥିତିର ଆକଳନ କରିବେ ଏବଂ ଉପକୂଳ ଅଞ୍ଚଳ ନିମ୍ନାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବେ। କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବେ। ସ୍ଥାନାନ୍ତରିତ ହେବାକୁ ଥିବା ଲୋକମାନଙ୍କ ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଉଦ୍ଧାରକାରୀ ସରଞ୍ଜାମ, ଜେନେରେଟର ପ୍ରସ୍ତୁତ କରି ରଖାଯିବାକୁ କୁହାଯାଇଛି। ସ୍ଥାନାନ୍ତରିତ ଲୋକମାନଙ୍କୁ ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଯୋଗାଇ ଦିଆଯିବା ସହିତ ବୃଦ୍ଧ, ଦିବ୍ୟାଙ୍ଗ,ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନେବା ଲାଗି ସରକାର ନିର୍ଦେଶ ଦେଇଛନ୍ତି।

ସରକାର କହିଛନ୍ତି, ସେହିଭଳି ଉପକୂଳ ଜିଲ୍ଲାର ସରକାରୀ କର୍ମଚାରୀମାନେ ସଦର ମହକୁମାରେ ଉପସ୍ଥିତ ରହିବେ। ବାତ୍ୟା ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତି ଆକଳନ କରି ଆବଶ୍ୟକ ସ୍ଥଳେ ଛୁଟିଦିନ ବାତିଲ କରିବେ। ଜଳଭଣ୍ଡାରଗୁଡ଼ିକର ନିୟମିତ ତଦାରଖ ଜଳସଂପଦ ବିଭାଗ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯିବ। ସେହିପରି ଜଳସ୍ତରର ସ୍ଥିତି ସଂପର୍କରେ ସରକାରଙ୍କୁ ତତ୍କାଳ ଜଣାଇବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ସ୍ତରର ଚିକିତ୍ସାଳୟର ଆବଶ୍ୟକୀୟ ଔଷଧ,ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍‌ର ନିୟୋଜନ, ମେଡିକାଲ୍‌ ରିଲିଫ୍‌ କେନ୍ଦ୍ର ସଂପର୍କରେ ସୁନିଶ୍ଚିତ କରିବାକୁ କୁହାଯାଇଛି।

ପିଏଚ୍‌ସି, ସିଏଚ୍‌ସି ଏବଂ ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିନ୍ତ କରିବାକୁ କୁହାଯାଇଛି। ଗୋଖାଦ୍ୟ ଯୋଗାଣକାରୀଙ୍କ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବେ। ବୈଠକରେ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା, ବର୍ତ୍ତମାନ ୧୨ ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଶସ୍ୟ ଅମଳ ପାଇଁ ପ୍ରସ୍ତୁତ ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଆଖିରେ ରଖି ଅମଳ ହୋଇଥିବା ଧାନକୁ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ନେବାକୁ ବ୍ୟବସ୍ଥା କରିବାକୁ କୁହାଯିବ। ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସବୁ ବିଭାଗକୁ ସର୍ତକ ରହିବାକୁ ବି ନିର୍ଦେଶ ଯାଇଛି। ଓଡ୍ରାଫ ଓ ଏନ୍‌ଡିଆରଫକୁ ପ୍ରସ୍ତୁତ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି।