ପାଖେଇ ଆସୁଛି ମହାବାତ୍ୟା ଅମ୍ଫାନ । ପାରାଦ୍ୱୀପଠାରୁ ୫୭୦ କିଲୋମିଟର ଦକ୍ଷିଣରେ ସମୁଦ୍ର ଭିତରେ ନେଇଛି ଭୟଙ୍କର ରୂପ । ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ହେଉଛି ଅଗ୍ରସର । ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁଲା ବେଳକୁ ସାମାନ୍ୟ ଦୁର୍ବଳ ହେବା ପୂର୍ବାନୁମାନ ।

628

କନକ ବ୍ୟୁରୋ : ମହାବାତ୍ୟା ଅମ୍ପାନ ଭୟଙ୍କର ରୂପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି । ବଙ୍ଗୋପସାଗର ଭିତରେ ଏହା ମହାବାତ୍ୟା ରୂପ ନେଇ ସାରିବା ପରେ ଉତର ଦିଗରେ ଘଂଟାକୁ ପ୍ରାୟ ୧୪ କିଲୋମିଟର ବେଗରେ ଆଗେଇ ଚାଲିଛି । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସାକଳ ସାଢେ ୫ଟାରେ ଜାରି ଶେଷ ବୁଲେଟିନ୍ ଅନୁଯାୟୀ ଏହା ୬ ଘଂଟା ଧରି ଏହି ବେଗରେ ଗତି କରୁଛି । ବାତ୍ୟାର କେନ୍ଦ୍ର ଓଡିଶାର ପାରାଦୀପର ଦକ୍ଷିଣ ଦିଗରେ ପ୍ରାୟ ୫ଶହ ୭୦ କିଲୋମିଟର ଏବଂ ପଶ୍ଚିମ ବଙ୍ଗ ଦିଘାର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୭୨୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘାରୁ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନରେ ଭୁଖଣ୍ଡକୁ ଛୁଇଁବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବ ଓଡିଶା ଉପକୂଳ, ପଶ୍ଚିମ ବଙ୍ଗ ଓ ବାଂଲାଦେଶରେ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ତେବେ ଏହି ବାତ୍ୟା ଏତେ ମାତ୍ରାରେ ଶକ୍ତିଶାଳୀ ଯେ ଏହା ବ୍ୟାପକ କ୍ଷୟକ୍ଷତି କରିବାକୁ ସକ୍ଷମ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି । ବାତ୍ୟା ଅମ୍ଫାନ ଯୋଗୁଁ ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଓ ଉତର ୨୪ ପ୍ରଗଣା, ପୂର୍ବ ମେଦିନାପୁର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ବିଶେଷ କରି ଉତର ଉପକୂଳ ଓଡିଶାରେ ଏହାର ପ୍ରଭାବ ବେଶ ଅନୁଭୁତ ହେବ । ତେବେ ଓଡିଶାରେ ପଶ୍ଚିମବଙ୍ଗ ତୁଳନାରେ କମ କ୍ଷୟକ୍ଷତି ହେବ ବୋଲି ଆକଳନ କରିଛି ଆଇଏମଡି ।

ସୋମବାର ସକାଳ ପ୍ରାୟ ସାଢେ ୧୧ଟାରେ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନ ବା ଅତି ଭିଷଣ ବାତ୍ୟାରୁ ଏହି ଝଡ ସୁପର ସାଇକ୍ଲୋନ ବା ମହାବାତ୍ୟାର ରୂପ ନେଇଛି । ବଙ୍ଗୋପସାଗରର ପଶ୍ଚିିମ କେନ୍ଦ୍ର ଭାଗରେ ବର୍ତମାନ ପ୍ରାୟ ୨୪୦ରୁ ୨୫୦ କିଲୋମିଟର ବେଗରେ ପବନ ବହୁଛି । ପବନର ବେଗ ଘଂଟା ପ୍ରତି ୨୭୫ କିଲୋମିଟର ପର୍ଯ୍ୟନ୍ତ ବି ଯାଉଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ମହାବାତ୍ୟା, ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ମହାବାତ୍ୟା ବୋଲି କୁହାଯାଉଛି । ଫରକ୍ ହେଉଛି ସେତେବେଳେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଝଡ ମହାବାତ୍ୟା ରୂପରେ ଆସିଥିଲା, ଏବେ କିନ୍ତୁ ସମୁଦ୍ର ଭିତରେ ଏହି ମହାବାତ୍ୟା ସୃଷ୍ଟି ହୋଇଛି । ଏବଂ ସ୍ଥଳ ଭାଗକୁ ଆସିବା ବେଳକୁ ଏହା କିଛି ପରିମାଣର ଦୁର୍ବଳ ହୋଇ ଅତି ଭିଷଣ ବାତ୍ୟାର ରୂପ ନେଇଥିବ ।

ଆଜି ସଂଧ୍ୟା ସାଢେ ୫ଟାରେ ଏହି ଝଡ ସୁପର ସାଇକ୍ଲୋନରୁ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନରେ ପରିଣତ ହେବ । ଏହାପରେ ୨୦ ତାରିଖ ଅର୍ଥାତ୍ ବୁଧବାର ଅପରାହ୍ଣ ଓ ସଂଧ୍ୟା ଭିତରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଅନୁମାନ କରାଯାଉଛି, ସେତେବେଳେ ପବନର ବେଗ ଘଂଟାପ୍ରତି ୧୬୫ରୁ ୧୯୫ କିଲୋମିଟର ରହିବ । ଏବଂ ଝଡର ଆଖି ସୁନ୍ଦରବନ ଦେଇ ଗତି କରିବ । ଯେଉଁ ଝଡର ଆଖି ସୃଷ୍ଟି ହୋଇଥାଏ, ସେଇ ଝଡ ସାଙ୍ଘାତିକ ହୁଏ ବୋଲି କୁହାଯାଏ । ପ୍ରାୟ ୩୦ରୁ ୬୫ କିଲୋମିଟର ଯାଏଁ ଏହି ଆଖି ବ୍ୟାପିଥାଏ । ଏବଂ ଏହା ଗୋଲାକାର ଆକୃତିର ହୋଇଥାଏ । ଝଡ ଯେତେବେଳେ ଗତି କରେ ଏହି ଆଖି ଗତି କରୁଥିବା ସ୍ଥାନ ସଂପୂର୍ଣ୍ଣ ଶାନ୍ତ ଥାଏ, କିନ୍ତୁ ଏହାର ଚାରିପଟେ ଧ୍ୱଂସଲିଳା ଘଟି ଚାଲିଥାଏ ।

ମହାବାତ୍ୟା ଅମ୍ଫାନ ଏବେ ସମୁଦ୍ର ମଧ୍ୟରେ ଗତି କରୁଥିବାବେଳେ ଏହାର ପ୍ରଭାବରେ ଆଜି ଉତର ଓଡିଶା ଉପକୂଳରେ ଘଂଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଇଛି । ସ୍ଥାନେ ସ୍ଥାନେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ତେବେ ମେ’ ୨୦ ତାରିଖ ଅର୍ଥାତ ବୁଧବାର ପବନର ବେଗ ବୃଦ୍ଧି ପାଇ ବତାସର ରୂପ ନେବ ଏବଂ ଉତର ଓଡିଶା ଉପକୂଳର ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଘଂଟା ପ୍ରତି ୭୫ରୁ ୮୫ ଏବଂ ସ୍ଥାନେ ସ୍ଥାନେ ୯୫ କିଲୋମିଟର ରହିବା ପୂର୍ବାନୁମାନ କରାଯାଇଛି । ପରବର୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତର ଓଡିଶା ଉପକୂଳରେ ଘଂଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ଏବଂ ମଝିରେ ମଝିରେ ୧୩୫ କିଲୋମିଟର ଯାଏଁ ରହିପାରେ ।

ଏଥିପାଇଁ ଆଂଚଳକ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରାଯାଇଛି । ଉତର ଓଡିଶା ଉପକୂଳ ଜିଲ୍ଲାଗୁଡିକରେ ଚାଳ ଛପର, ଝୁମ୍ପୁଡି ଘର ନଷ୍ଟ ହେବା ଆଶଙ୍କା ରହିଛି । ହୋଡିଂ, ଟିଣ ଛପର ପ୍ରଭୃତି ଉଡନ୍ତା ଜିନିଷ ଅତ୍ୟଧିକ କ୍ଷତି କରିବା ଆଶଙ୍କା ରହିଛି । ଟେଲିଫୋନ୍ ଓ ବିଦ୍ୟୁତ ଖୁଂଟ ଉପୁଡି ଯିବା କିମ୍ବା ବଙ୍କା ହୋଇଯିବାର ଆଶଙ୍କା ରହିଛି । ବିଲରେ ଥିବା ଫସଲ, ନଡିଆ ଗଛ, ଖଜୁରୀ ଗଛ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ଝଙ୍କାଳିଆ ଗଛର ଡାଳ ଭାଙ୍ଗୁ ଦୂର ସ୍ଥାନକୁ ଉଡିଯିବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।