ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ : ମେ ୧୬ ତାରିଖ ସନ୍ଧ୍ୟାରେ ନେଇପାରେ ସାମୁଦ୍ରିକ ଝଡର ରୂପ,ଉତ୍ତର-ପୂର୍ବ ଦିଗରେ ଯାଇ ମିଆଁମାର ବାଂଲାଦେଶ ଆଡକୁ ଗତି କରିବା ସମ୍ଭାବନା

Advertisment
ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ : ମେ ୧୬ ତାରିଖ ସନ୍ଧ୍ୟାରେ ନେଇପାରେ ସାମୁଦ୍ରିକ ଝଡର ରୂପ,ଉତ୍ତର-ପୂର୍ବ ଦିଗରେ ଯାଇ ମିଆଁମାର ବାଂଲାଦେଶ ଆଡକୁ ଗତି କରିବା ସମ୍ଭାବନା

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ମେ’ ୧୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ର ସ୍ଥଳୀରେ ରହି ଅବପାତରେ ପରିଣତ ହେବ। ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ‌ଯେ ଲଘୁଚାପ ଏବେ ଆଣ୍ଡାମାନ ସାଗର ଅଞ୍ଚଳରେ ରହିଛି। ଏହା ଅଧିକ ଘନୀଭୂତ ହୋଇ ୧୫ ତାରିଖରେ ଅବପାତ ରୂପ ନେବ ଏବଂ ୧୬ ତାରିଖ ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଏହା କେଉଁ ଉପକୂଳ ଦେଇ ଗତି କରିବ, ତାହା ଏବେ କହିବା ସମ୍ଭବ ନୁହେଁ। ବାତ୍ୟା ଅଧିକ ଘନୀଭୂତ ହେଲେ ସଠିକ୍‌ ଭାବେ ଆକଳନ କରାଯାଇପାରିବ। ‌ତେବେ ଆସନ୍ତା ୧୫ ତାରିଖଠାରୁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ପୂର୍ବ ଆକଳନ ମୁତାବକ ଆଜି ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର ସୁମାତ୍ରା ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଠାରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଗୁରୁବାର ଏହା ଅଧିକ ସଙ୍ଗଠିତ ହୋଇ ଅବପାତରେ ପରିଣତ ହେବ।

ପରେ ଏହା ଉତ୍ତର ଦିଗରେ ଗତି କରି ୧୬ ତାରିଖରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ସେତେବେଳେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋ‌ପସାଗରରେ ରହିଥିବ। ଏହାପରେ ପ୍ରାୟତଃ ଉତ୍ତର ଦିଗରେ ଗତି କରି ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।

ବାତ୍ୟାର ଗତି ନେଇ ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏନ୍‌ସିୟୁଏମ୍‌ ମଡେଲ୍‌ ଅନୁଯାୟୀ ଏହା ତାମିଲନାଡ଼ୁ ଉପକୂଳ ନିକଟରେ ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ ଉପକୂଳ ତଥା ଆନ୍ଧ୍ରପ୍ରଦେଶରେ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଭାଗର ଜିଏଫ୍‌ଏସ୍‌ ମଡେଲ୍‌ର ଅନୁଯାୟୀ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ସ୍ପର୍ଶ କରିପାରେ। ଅନ୍ୟ କେତେକ ମଡେଲ୍‌ ଅନୁଯାୟୀ ଭାରତର ପୂର୍ବ ଉପକୂଳରେ ସମାନ୍ତରାଳରେ ଗତି କରି ଓଡ଼ିଶା ଉପକୂଳରେ ଘସି ହୋଇ ପଶ୍ଚିମବଙ୍ଗର ସୁନ୍ଦରବନ ଆଡ଼କୁ ଗତି କରିବ। ଆମେରିକାର ଏନ୍‌ସିଇପି, ଭାରତୀୟ ପାଣିପାଗ ବିଭାଗର ଜିଇଏଫ୍‌ଏସ୍‌ ତଥା ଜିପିପି ମୂଲ୍ୟ ଅନୁଯାୟୀ ୧୭ ତାରିଖ ପରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଚିତଗଙ୍ଗକୁ ସ୍ପର୍ଶ କରିବାର ସମ୍ଭାବନା ରହିଛି।

ପ୍ରଫେସର ପଶୁପାଳକ ଆହୁରି ଆକଳନ କରିଛନ୍ତି ଯେ ଉତ୍ତର ବଙ୍ଗୋପସାଗର ପରିସ୍ଥିତି ବାତ୍ୟା ଘନୀଭୂତ ହେବା ପାଇଁ ଅନୁକୂଳ ହେଉଛି। ଏହା ପୂର୍ବରୁ ଆକଳନ କରାଯାଇଥିବା ମିଆଁମାର ଆଡେ ଯିବା ସମ୍ଭାବନା କମ୍‌ ରହିଛି। କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ବାତ୍ୟାର କେନ୍ଦ୍ରକୁ ଚାରି ଆଡ଼ୁ ଆସୁଥିବା ପବନର ବେଗ, ବାତ୍ୟା କେନ୍ଦ୍ରରୁ ଉପର ବାୟୁମଣ୍ଡଳକୁ ପବନ ଯିବାର ବେଗ, ଉପର ବାୟୁ ମଣ୍ଡଳରେ ବିଚ୍ଛୁଳିତ ପବନ ଓ ଏହା ଉପର ବାୟୁ ମଣ୍ଡଳ ସହ ଲମ୍ବିତ ହୋଇଥିବାରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ଏହା ଭୀଷଣ ବାତ୍ୟା, ୧୮ ଓ ୧୯ ତାରିଖରେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ସେତେବେଳକୁ ଏହା ଉତ୍ତର ବଙ୍ଗୋପସାଗରରେ ଅବସ୍ଥିତ ଥିବ। ଏବେ ଉପର ବାୟୁମଣ୍ଡଳରେ ପଶ୍ଚିମା ପବନ ବହୁଛି। ୧୫ ତାରିଖଠାରୁ ଏହା କ୍ରମଶଃ ଅପସରିଗଲେ ମଧ୍ୟ ୧୭ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଉପରେ ପଶ୍ଚିମା ପବନ ଜାରି ରହିବ। ଏଥିସହ ବାତ୍ୟା କେନ୍ଦ୍ରର ଚାରି ପାର୍ଶ୍ବରେ ପବନର ଚାପରୁ ଜଣାପଡ଼ୁଛି ଏହା ୧୭ ତାରିଖ ପରେ ଦିଗ ପରିବର୍ତନ କରି ପଶ୍ଚିମ ବଙ୍ଗ ଓ ବଙ୍ଗଲାଦେଶ ଆଡ଼କୁ ମୁହାଁଇବ। ଓଡ଼ିଶା ଉପକୂଳ ଘସି ହୋଇଯିବାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ୧୭ ତାରିଖ ସୁଦ୍ଧା ବାତ୍ୟା ଓଡ଼ିଶା ଉପରେ ପ୍ରଭାବ ସଠିକ୍‌ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe