କନକ ବ୍ୟୁରୋ : ଓଡ଼ିଶାରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ରାଜ୍ୟ‌ରେ  ୪ଟି ସାଇବର ଥାନା ରହିଛି । ବାଲେଶ୍ବର ଓ ଜୟପୁରରେ ଆଉ ଗୋଟିଏ ଲେଖାଏଁ ଖୋଲାଯିବ । ତେବେ ସାଇବର ଅପରାଧ ରୋକିବା ପାଇଁ ଓଡ଼ିଶା ପୁଲିସ୍‌ ଆଗାମୀ ଦିନରେ ସବୁ ଜିଲ୍ଲାରେ ସାଇବର ଥାନା ସ୍ଥାପନ କରିବାକୁ ଯୋଜନା ରଖିଛି । ଏଥିନେଇ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯିବ ବୋଲି ଆଜି ଏଠାରେ ପୁଲିସ ମହାନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

Advertisment

ଅନୁଗୁଳରେ ସ୍ମାର୍ଟ ସିଟି ସିକ୍ୟୁରିଟି ଆଣ୍ଡ ସର୍ଭିଲାନସ୍‌ ସିଷ୍ଟମ୍‌ର ଲୋକାର୍ପଣ ଅବସରରେ ଗତକାଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ଶର୍ମା କହିଲେ, ଓଡ଼ିଶାରେ ଏବେ ୬ଟି ମହିଳା ଥାନା ରହିଛି । ଗତ ୧୫ ବର୍ଷ ମଧ୍ୟରେ ନୂଆ ମହିଳା ଥାନା ସ୍ଥାପନ ହୋଇ ନାହିଁ କି ବର୍ତ୍ତମାନ ନୂଆ ଥାନା ଖୋଲାଯିବାର ‌ଯୋଜନା ବି ନାହିଁ । ମହିଳା ଥାନା ସ୍ଥାପନ କ୍ଷେତ୍ରରେ ଅନେକ ଫାଇଦା ରହିଥିବାବେଳେ ସେତିକି ସମସ୍ୟା ବି ରହିଛି ।

ଏହାକୁ ଦୃଷ୍ଟିରେ ରଖି ଥାନାରେ ମହିଳା ଓ ଶିଶୁ ଡେକ୍ସ ସ୍ଥାପନକୁ ଗୁରୁତ୍ବ ଦିଆଯାଉଛି । ଓଡ଼ିଶା ପୁଲିସରେ ମହିଳା ଅଧିକାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ରଖାଯିବାର ଯୋଜନା ରହିଛି । ଏବେ ଏହି ସଂଖ୍ୟା କିନ୍ତୁ ବହୁତ କମ୍ ରହିଛି । ତଥାପି ପ୍ରତ୍ୟେକ ଥାନାରେ ଜଣେ ଲେଖାଏଁ ମହିଳା ଅଧିକାରୀ କିମ୍ବା ମହିଳା କନ‌େଷ୍ଟବଳ ନିଯୁକ୍ତ କରାଯାଉଛି ।

ଡ.ଶର୍ମା ଆହୁରି କହିଲେ, ଅନୁଗୁଳର ସ୍ମାର୍ଟ ସିଟି ସିକ୍ୟୁରିଟି ଆଣ୍ଡ ସର୍ଭିଲାନସ୍‌ ସିଷ୍ଟମ୍‌ ବିଶ୍ବସ୍ତରୀୟ । ଓଡ଼ିଶାରେ କଟକ, ଭୁବନେଶ୍ବର ମହାନଗର ସମେତ ଆହୁରି ୧୦ଟି ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି କ୍ୟାମେରାର ସହାୟତା ନି‌ଆଯାଉଛି । ମାତ୍ର ଓଡ଼ିଶାରେ ଯେତିକି ସ୍ଥାନରେ ବି ରହିଛି, ଅନୁଗୁଳର ଏହି ବ୍ୟବସ୍ଥା ସବୁଠାରୁ ଭଲ ଓ ଉନ୍ନତମାନର ।
ଏଥିରେ ଥିବା ମୁହଁ ଚିହ୍ନଟ ବ୍ୟବସ୍ଥା ଦ୍ବାରା ଡାଟାବେସ୍‌ରେ ଥିବା ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ । ପୁଣି ସମନ୍ବିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥା(ଆଇଟିଏମ୍ଏସ୍‌) ଦ୍ବାରା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ ଓ ଜରିମାନା ଆଦାୟ କରାଯାଇପାରିବ । ୨୦୧୪ ମସିହାରେ କମିସନରେଟ୍‌ ପୁଲିସ ଦ୍ବାରା ଏଭଳି ଉଦ୍ୟମ ହୋଇଥିଲେ ହେଁ ତାହା ଏପର୍ଯ୍ୟନ୍ତ କେତେକ କାରଣରୁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ବୋଲି ସେ କହିଥିଲେ ।