କନକ ବ୍ୟୁରୋ : କରୋନା ଲକ୍ଡାଉନ୍ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି । ସେପଟେ ଛାତ୍ରଛାତ୍ରୀଙ୍କୁ ନେଇ ଏପ୍ରିଲ ପ୍ରଥମ ସପ୍ତାହରୁ ଅନ୍ଲାଇନ୍ରେ କ୍ଲାସ ଆରମ୍ଭ ହୋଇଛି। ତେବେ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ମୋବାଇଲ ଆପ୍ଲିକେସନ୍ଗୁଡିକ କେତେଦୂର ନିରାପଦ ତାହା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ଲାଇନ୍ ପାଠପଢ଼ାରେ ଅଧିକ ସଂଖ୍ୟାରେ ଜୁମ୍ ଆପ୍ ବ୍ୟବହାର କରାଯାଉଥିବାବେଳେ ଏହା ନିରାପଦ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ଏହାକୁ ନେଇ ଏବେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।
ଲକ୍ଡାଉନ୍ରେ ସ୍କୁଲ, କଲେଜ, ଏକାଧିକ ଅଫିସ ବନ୍ଦ ଥିବା କାରଣରୁ ମାସାଧିକ ସମୟରୁ ଅନ୍ଲାଇନ୍ରେ ଶିକ୍ଷାଦାନ, ସମ୍ମିଳନୀ ଓ କାର୍ଯ୍ୟାଳୟ କାମ ଆଦି ଚାଲିଛି । ଘରୋଇ-ସରକାରୀ ସ୍କୁଲ ଓ କାର୍ଯ୍ୟାଳୟରେ ବିଭିନ୍ନ ଭିଡିଓ କନଫରେନ୍ସିଂ ଆପ୍ଲିକେସନ ମାଧ୍ୟମରେ ଏହା କରାଯାଇଛି । କରୋନା ସମୟରେ ଘରେ ବସି ପାଠ ପଢିବା, କାମ କରିବା ସହିତ ଗ୍ରୁପ୍ରେ ମିଟିଂ କରି ବିଭିନ୍ନ ନିଷ୍ପତ୍ତି ନେବାରେ ଏହି ଆପ୍ଗୁଡିକ ସହାୟକ ହେଉଛି। ଆପ୍ଗୁଡିକ ମଧ୍ୟରୁ ଜୁମ୍ ଆପ୍ର ବ୍ୟବହାର ସବୁଠାରୁ ଅଧିକ ହେଉଛି। ମାତ୍ର ଏହି ଭିଡିଓ କନଫରେନ୍ସିଂ ଆପ୍ଲିକେସନର ବ୍ୟବହାର ନିରାପଦ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତମାସ ଶେଷ ସପ୍ତାହରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମାତ୍ର ସଚେତନତା ପରେ ବି ଏହାର ବ୍ୟବହାର ଉପରେ କୌଣସି ପ୍ରଭାବ ପଡି ନାହିଁ। ଜୁମ୍ ଆପର ବ୍ୟବହାର ଓ ଡାଉନ୍ଲୋଡ୍ ଅତି ସହଜ ହୋଇଥିବା ବେଳେ ଏହାର ବ୍ୟବହାର ପାଇଁ କୌଣସି ଅର୍ଥ ଦେବାକୁ ପଡୁ ନଥିବାରୁ ଏହାକୁ ବହୁଳମାତ୍ରାରେ ବ୍ୟବହାର କରାଯାଉଛି। ବ୍ୟବହାର ସମୟରେ ଟିକିଏ ଅସାବଧାନତା ହେଲେ ବ୍ୟକ୍ତିଗତ ତଥ୍ୟ, ଭିଡିଓ, ଫଟୋ ଲିକ୍ ହେବାର ଅନେକ ଆଶଙ୍କା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/CYBER-CRIME.jpg)