କ୍ରେଡିଟ୍ କାର୍ଡରେ ସପିଂ କରୁଛନ୍ତି କି? ତେବେ ସାବଧାନ୍ . . . ମାତିଛନ୍ତି ସାଇବର ଠକ । ନିମିଷକେ କ୍ରେଡିଟ୍ କାର୍ଡରୁ ଗାୟବ ହେଉଛି ଟଙ୍କା
କନକ ବ୍ୟୁରୋ : କ୍ରେଡିଟ୍ କାର୍ଡରେ ସପିଂ କରୁଛନ୍ତି କି? ତେବେ ସାବଧାନ୍! ଯୋଜନ ଯୋଜନ ଦୂରରେ ବସି ସାଇବର ଠକ ଖାଲି କରିଦେବେ କ୍ରେଡିଟ୍ କାର୍ଡର ସମସ୍ତ ଉପଲବ୍ଧ ଅର୍ଥ। ସପିଂ କଲାବେଳେ ମିଳୁଥିବା ପଏଣ୍ଟକୁ ରିଡିମ୍ କରିବା ଆଳରେ ଲୁଟିନେବେ ସବୁ । ଆପଣଙ୍କ କାର୍ଡରେ ଉପଲବ୍ଧ ପଏଣ୍ଟର ଏଭଳି ସଠିକ୍ ତଥ୍ୟ ଦେବେ ଯେ, ଆପଣ ଫସିଯିବେ, ଠକକୁ ବିଶ୍ବାସ କରିବାକୁ ବାଧ୍ୟ ହେବେ। ଆଉ ଏହା ପରେ ଠକର ଇସାରାରେ ପରିଚାଳିତ ହୋଇ ଆପଣ ହରାଇ ବସିବେ ମୋଟା ଅଙ୍କର ଟଙ୍କା ଯାହାକୁ ଆପଣଙ୍କୁ ହିଁ ପରିଶୋଧ କରିବାକୁ ହେବ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ନୂଆ ଯୋଜନା ନେଇ ଠକ ଲୁଟିବା ଆରମ୍ଭ କରିଛନ୍ତି। ଦିଲ୍ଲୀର ଦୁଇଟି ଲ୍ୟାଣ୍ଡ ଲାଇନ୍ ନମ୍ବରରୁ ଆସୁଛି ଫୋନ୍। ସେଗୁଡ଼ିକ ହେଉଛି ୦୧୧-୨୪୩୬୩୩୪୫୭ ଓ ୦୧୧-୨୪୩୫୦୦୫୫୫। ଯେଉଁମାନେ କ୍ରେଡିଟ୍ କାର୍ଡ ବ୍ୟବହାର କରି ସପିଂ କରୁଛନ୍ତି ସେମାନଙ୍କୁ ଏହି ଫୋନ୍ କଲ ଆସୁଛି। ‘କ୍ରେଡିଟ୍ କାର୍ଡରେ ଥିବା ବୋନସ ପଏଣ୍ଟ ଏକ୍ସପାୟାର ହେବାକୁ ଯାଉଛି, ଏଣୁ ତୁରନ୍ତ ଏହାକୁ ରିଡିମ୍ କରି ଆକାଉଣ୍ଟକୁ ନେଇ ଯାଆନ୍ତୁ। ଏଥିପାଇଁ ଯେଉଁ ପ୍ରୋସେସ ହେବ ସେଥିରେ କିଛି ତଥ୍ୟ ଦିଅନ୍ତୁ।’ ଏହି ତଥ୍ୟ ମାଗିବା ଆଳରେ କ୍ରେଡିଟ୍ କାର୍ଡର ସମସ୍ତ ତଥ୍ୟ ନେଇ କାର୍ଡରୁ ହଜାର ହଜାର ଟଙ୍କାର ସପିଂ କରିନେଉଛି ଠକ। ଏହି ଅର୍ଥ ଚାଲିଯିବା ପରେ ଗ୍ରାହକକୁ ସୁଝିବାକୁ ପଡ଼ୁଛି। ପୂର୍ବରୁ ଏଭଳି ଏକ ଅଭିଯୋଗ ଲକ୍ଷ୍ମୀସାଗର ଥାନାରେ ହୋଇଥିବା ବେଳେ ରାଜଧାନୀର ବିଭିନ୍ନ ଥାନାରେ ଏଭଳି ମାମଲା ରହିଛି। ଲକ୍ଡାଉନ୍ ସମୟରେ ଏଭଳି ଠକ ଅଧିକ ମାତିଛନ୍ତି। କାରଣ ଏହି ସମୟରେ ଲୋକମାନେ ଘରେ ବସି ଅନ୍ଲାଇନ୍ରେ ଅଧିକ ସପିଂ କରିଛନ୍ତି। ଏହି ଗ୍ରାହକମାନଙ୍କୁ ଟ୍ରାକ୍ କରି ଠକ ଜାଲ ବିଛାଇଛି। ଲକ୍ଡାଉନ୍ରେ ଭୁବନେଶ୍ବରରେ କେବଳ ୫୦୦ ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସେଗୁଡ଼ିକୁ ସମାଧାନ ପାଇଁ ଏସ୍ଆଇମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ସେହିଭଳି ସାଇବର ଅପରାଧ ବଢ଼ୁ ଥିବାରୁ ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା କ୍ରାଇମ୍ବ୍ରାଞ୍ଚର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
କିଛି ଦିନ ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ମଧ୍ୟ ଏହି ସାଇବର ଅପରାଧକୁ ଗୁରୁତ୍ବର ସହ ନେଇଥିଲା। ସୋସିଆଲ ମିଡିଆ ମନିଟରିଂ ସେଲ୍ ଖୋଲିବା ସହ ରୁଜୁ ହୋଇଥିବା ସମସ୍ତ ମାମଲାର ଖୋଳତାଡ଼ ଆରମ୍ଭ କରିଥିବା କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଥିଲେ। ପୂର୍ବରୁ ଉଚ୍ଚଶିକ୍ଷିତ କନେଷ୍ଟବଳ ଏହି ସବୁ ମାମଲାର ତଦନ୍ତ କରିବେ ବୋଲି ଯୋଜନା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଯୋଜନା ହୋଇଥିଲା। ବିଭିନ୍ନ ଥାନାରୁ କନେଷ୍ଟବଳଙ୍କୁ ଚିହ୍ନଟ କରାଯାଇ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆ ଯାଇଥିଲା। କମିସନରେଟ୍ ପୁଲିସରେ ୫୦ରୁ ଊର୍ଦ୍ଧ୍ବ କନେଷ୍ଟବଳ ଏହି ତାଲିକାରେ ରହିଥିଲେ। ହେଲେ ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଗଲା ନାହିଁ। ଏଣୁ ସେମାନେ ଏହି ମାମଲାର ତଦନ୍ତ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ। ଏବେ ଭୁବନେଶ୍ବରରେ ରୁଜୁ ମାମଲାର ତଦନ୍ତ ପାଇଁ ଏସ୍ଆଇଙ୍କୁ ତାଲିମ ଦିଆଯାଇଛି।
ସୂଚନା ମୁତାବକ, ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ବନ୍ଧୁମାନଙ୍କ ଠାରୁ ସାଇବର ଅପରାଧୀମାନେ ଟଙ୍କା ଠକି ନେଇଛନ୍ତି। ଇ-ମେଲ ପଠାଇ ନିଜକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କହି ଲୋକଙ୍କ କରୋନା ସମ୍ପର୍କରେ ଭୟ ସୃଷ୍ଟି କରିବା ପରେ ସ୍ବାସ୍ଥ୍ୟ ସୂଚନା ଓ ଅନ୍ୟାନ୍ୟ ସହଯୋଗ ପାଇଁ ଏଟିଏମ୍କାର୍ଡର ବିବରଣୀ ନେଇ ଆକାଉଣ୍ଟରେ କଳାକନା ବୁଲାଇ ଦେଇଛନ୍ତି। କ୍ରେଡିଟ୍ କାର୍ଡ ଅପ୍ଡେଟ୍ ଆଳରେ ମଧ୍ୟ ଟଙ୍କା ଲୁଟି ନେଇଛନ୍ତି। ଏଟିଏମ୍ ବ୍ଲକ ହେବ ବୋଲି ଡରାଇ ସମସ୍ତ ବିବରଣୀ ନେଇ ଟଙ୍କା ଲୁଟିଛନ୍ତି। ତେବେ ସବୁଠାରୁ ଅଧିକ ଠକେଇ ଅନ୍ଲାଇନ୍ରେ ମଦ ଦେବା ନାଁରେ ହୋଇଛି।