ନୂଆ ରୂପ ପାଇବ ଏସସିବି । କଟକ ରିଙ୍ଗ ରୋଡ୍ ୬ଲେନ୍ ବିଶିଷ୍ଟ ହେବ । ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜିକରଣ ଓ ପାର୍କିଂକୁ ଗୁରୁତ୍ବ ।

812

କନକ ବ୍ୟୁରୋ : କଟକ ବଡ ମେଡିକାଲ ହେବ ବିଶ୍ୱସ୍ତରୀୟ ଅନୁଷ୍ଠାନ । କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରାଯିବ । ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏସସିବିର ଉନ୍ନତୀକରଣ କାର୍ଯ୍ୟ ପାଇଁ କଟକ ହାଡିଆପଡାରେ ମୁଖ୍ୟମନ୍ତ୍ରୀ ପହଚିଂ ପ୍ରସ୍ତାବିତ ପ୍ରକଳ୍ପର ନକ୍ସା ଦେଖିଛନ୍ତି । ମୁଖ୍ୟମନ୍ତ୍ରୀମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ  । ଜିଲ୍ଲାପାଳ, ଜଳସଂପଦ ବିଭାଗ ସଚିବ ଓ ପୂର୍ତବିଭାଗ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପ୍ରସ୍ତାବିତ ଅଂଚଳର ନକ୍ସା ଅନୁଧ୍ୟାନ କରିଛନ୍ତି ।

ସ୍ଥିତି ସମୀକ୍ଷା ପରେ କଟକ ବଡ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏସସିିବି କ୍ୟାମ୍ପସ ନେଇ ଲୋକଙ୍କ ମତାମତ ନିଆଯିବ । ଏସସିବି ମେଡ଼ିକାଲ ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ । ମହାନଦୀ ପଠାରେ ୪୨୪ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେବ | କ୍ରୀଡ଼ା, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରକଳ୍ପ  ହେବ | ଏଥିରେ ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜିକରଣ ଓ ପାର୍କିଂକୁ ଗୁରୁତ୍ବ ଦିଆଯିବ । କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ରିଂଗ ରୋଡକୁ ୬ ଲେନ ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏଥିଲାଗି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। କଟକ ଜିଲ୍ଲାପାଳ ଓ ଆରଡିସି  ଜମି ଅଧିଗ୍ରହଣ ଲାଗି ପ୍ରସ୍ତାବ ଦେବେ । ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ  ।

ସୂଚନାଯୋଗ୍ୟ ଗତକାଲି ଭୋରରୁ ୫-ଟି ସଚିବ କଟକରେ ପହଞ୍ଚି ମେରିଟାଇମ ମ୍ୟୁଜିୟମରେ ଅନୁଷ୍ଠିତ ଏକ ସମୀକ୍ଷା  ବୈଠକରେ ଯୋଗ ଦେବା ପରେ ମହାନଦୀ ପଠାକୁ ଯାଇ ପ୍ରକଳ୍ପ ଲାଗି ସ୍ଥାନ ଅନୁଧ୍ୟାନ କରିଥିଲେ ।