ହରିଆଣା ଓ ରାଜସ୍ଥାନ ପରି ଓଡିଶାରୁ ଆସିଲା ସମ୍ମାନ ପାଇଁ ହତ୍ୟା ଅଭିଯୋଗ ! ପ୍ରେମ ପାଇଁ ଝିଅର ପ୍ରାଣ ନେଇ ଗଲେ ପରିବାର

74

କନକ ବ୍ୟୁରୋ : ପରିବାରର ସମ୍ମାନ ପାଇଁ ଝିଅକୁ ହତ୍ୟା କରିଦେବା ଭଳି ସାଙ୍ଘାତିକ ଅଭିଯୋଗ । ହରିଆଣା ଓ ରାଜସ୍ଥାନରେ ହନର କିଲିଂ ଭଳି ଓଡିଶାରେ ସମ୍ମାନ ପାଇଁ ହତ୍ୟାର ଅଭିଯୋଗ ସାମ୍ନାକୁ ଆସିଛି । ପ୍ରେମ ପାଇଁ ଝିଅର ପ୍ରାଣ ନେଇଯାଇଥଛନ୍ତି ବଡବାପା ଓ ଭାଇ । ଆଉ ହତ୍ୟାକୁ ହୃଦଘାତର ରୂପ ଦେବାପାଇଁ ନାଟକ ରଚିଥିଲେ ଅଭିଯୁକ୍ତ । ହେଲେ ଗାଁ ଲୋକଙ୍କ ଅଭିଯୋଗ ପାଇ ପୋଲିସ ଛାନଭିନ ଆରମ୍ଭ କରିଛି ଆଉ ୬ଜଣଙ୍କ ହାତରେ ପିନ୍ଧାଇଛି ହାତକଡି ।

ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ପ୍ରେମ କରିବାର ପରିଣାମ ଭୋଗିଛି ଏହି ଝିଅ । ଯେଉଁ ଭାଇ ହାତରେ ଦିନେ ରାକ୍ଷୀ ବାନ୍ଧି ସାରାଜୀବନର ସୁରକ୍ଷା ମାଗିଥିଲା, ସେହି ଭାଇ ହାତରେ ଯାଇଛି ଜୀବନ । ପରିବାରର ସମ୍ମାନ ଯେଉଁମାନଙ୍କ ପାଇଁ ବଡ, ସେମାନେ କୋଉ ସ୍ତର ପର୍ଯ୍ୟନ୍ତ ଯାଇପାରନ୍ତି ତାର ଚିତ୍ର ସାମ୍ନାକୁ ଆସିଛି ନିଆଳି ଅଳୋଁ ଗାଁରୁ । ହରିଆଣା, ରାଜସ୍ଥାନ ପରି ଅନର କିଲିଂ ବା ସମ୍ମାନ ପାଇଁ ହତ୍ୟା ଭଳି ଅଭିଯୋଗ ହୋଇଛି, ଯାହାର ଛାନଭିନ ଆରମ୍ଭ କରିଛି ପୋଲିସ ।

ଏ ହେଉଛି ଗତ ୨୦ ତାରିଖର ଚିତ୍ର । ଗାଁ ଲୋକଙ୍କ ଅଭିଯୋଗ ଆନୁସାରେ ୧୯ ତାରିଖ ରାତିରେ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲା ଲିପି । ଆଉ ସେହି ଗାଁର ଜଣେ ଯୁବକ ସହ ତାର ପ୍ରେମ ସଂପର୍କ ଥିବା ଜାଣିପାରି ତାତି ଉଠିଥିଲେ । ଏପରିକି ପିଟିପିଟି ଜୀବନରୁ ମାରିଦେବାକୁ ବି ପଛାଇନଥିଲେ । ଆଉ ଏହି ହତ୍ୟାକୁ ହୃଦଘାତର ରୂପ ଦେବାକୁ ରଚିଥିଲେ ନାଟକ । ପ୍ରଥମେ ଏକ ଅଟୋରେ ହସ୍ପିଟାଲ ନେଇ ଫେରିଆସିବା ପରେ ତରବରିଆ ଭାବେ ବାଇକରେ ବସାଇ ନେଇ ଗାଁମୁଣ୍ଡ ଶ୍ମଶାନରେ ପୋଡି ଦେଇଥିଲେ । ଯାହା ପୁରା ଘଟଣାକୁ ସନ୍ଦିହାନ କରିଥିଲା ।

ପରିବାର ଲୋକଙ୍କ ଏଭଳି ନାଟକ ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିବାରୁ ପୋଲିସକୁ ଖବର ଦେଇଥିଲେ । ଯେଉଁ ଆଧାରରେ ମୃତଦେହ ପୋଡାଯାଇଥିବା ସ୍ଥାନରେ ଛାନଭିନ କରିଛି ସାଇଂଟିଫିକ ଟିମ୍ । ଏବଂ ସନ୍ଦେହରେ ଝିଅର ବଡବାପା, ବଡବୋଉ, ଦୁଇ ଭାଇ ଓ ଭାଉଜଙ୍କ ସମେତ ଝିଅଟିକୁ ବାଇକରେ ନେଇ ଯାଇଥିବା ମୋଟ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ହଟିବ । ହେଲେ ପରିବାରର ସମ୍ମାନ ପାଇଁ ଝିଅକୁ ହତ୍ୟା କରିଦେବା ଭଳି ସାଙ୍ଘାତିକ ଘଟଣାକୁ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ନିଆଳିରୁ ପ୍ରତାପ ମଲ୍ଲିକଙ୍କ ରିପୋର୍ଟ, କନକ ନ୍ୟୁଜ ।