ସାଇକୋ କିଲରକୁ ଖୋଜୁଛନ୍ତି ବିଧାୟକ : ରାତିରେ ଉଜାଗର ହୋଇ ସହରର ଗଳିକନ୍ଦି ବୁଲୁଛନ୍ତି ଦୁଇ ବିଧାୟକ, ନିରାଶ୍ରୟଙ୍କୁ ସେଲଟର ହୋମରେ ରହିବାକୁ ପରାମର୍ଶ

195

କନକ ବ୍ୟୁରୋ : ଘନ ଅନ୍ଧକାରରେ ଖୋଜା ଚାଲିଛି ସାଇକୋ କିଲର । ରାତିରେ ଲୁଚି ଲୁଚି ଆସୁଛି, ହତ୍ୟା କରି ଚାଲିଯାଉଛି । କିଏ ସେହି ସଇତାନ ସାଇକୋ କିଲର  ? ଆଜି ଯାଏଁ ପତ୍ତା ମିଳିପାରିନି । କଟକରେ ତିନି-ତିନିଟି ହତ୍ୟାକାଣ୍ଡ ପରେ ବି ୪ ଦିନ ହେଲାଣି ଏହାର କିଛି ଟେର ପାଉନି କମିଶନରେଟ୍ ପୋଲିସ । ସହର ସାରା ଖେଳି ଯାଇଛି ଆତଙ୍କର ମାହୋଲ । ଗତ ୪ ଦିନ ହେଲା ସାରାରାତି ଅନିଦ୍ରା ହୋଇ ପାଟ୍ରୋଲିଂ କରୁଛି ପୋଲିସ । ସାଇକୋ କିଲରର ଭୟ ଓ ପୋଲିସର ପହରା ଭିତରେ ବି ଲୋକଙ୍କ ଚିନ୍ତାରେ ବୁଲୁଛନ୍ତି ବିଧାୟକ । ଅଜଣା ଦୁର୍ବୃତ୍ତ ଯୋଗୁଁ ଭୟରେ କାଳାତିପାତ କରୁଥିବା ଲୋକଙ୍କୁ ରାତି ରାତି ବୁଲି ସାହାସ ଦେଉଛନ୍ତି ଦୁଇ ବିଧାୟକ । ରାତିରେ କଟକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଦୁଇ ନେତା କଟକର ଗଳିକନ୍ଦି ଓ ରାସ୍ତା କଡରେ ରାତି କଟାଉଥିବା ଲୋକଙ୍କୁ ଆଶ୍ରୟ ସ୍ଥଳରେ ରାତିରେ ରହିବାକୁ ପରାମର୍ଶ ଦେବା ସହିତ ସଚେତନ କରାଇଛନ୍ତି ।

କଟକରେ ନିଦ ହଜାଇଛିି ସାଇକୋ କିଲର । ଘନ ଅନ୍ଧକାରର ଫାଇଦା ଉଠାଇ ସାଇକୋ କିଲର ବୁଲୁଛି । ରାସ୍ତା କଡ଼ରେ ଶୋଇଥିବା ନିରାଶ୍ରୟଙ୍କୁ ଟାର୍ଗେଟ କରୁଛି । ସାଇକୋ କିଲର କବଳରୁ ରକ୍ଷା କରିବା ପାଇଁ ରାତି ରାତି ଉଜାଗର କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । କଟକର ଷ୍ଟେସନ, ବଜାର ଛକ  ବୁଲୁଛନ୍ତି ସୌଭିକ ବିଶ୍ୱାଳ । ତିନୋଟି ହତ୍ୟା ପରେ ହତ୍ୟାକାଣ୍ଡ ଯେପରି ନବଢ଼ିବ ତଥା ନିରାଶ୍ରଙ୍କୁ ଥଇଥାନ କରିବା ପାଇଁ ଲାଗିପଡ଼ିଛନ୍ତି ବିଧାୟକ । ରାତି ରାତି ବୁଲି ନିରାଶ୍ରୟ ଲୋକଙ୍କ କଥା ବୁଝୁଛନ୍ତି । ଖୋଲାମେଲାରେ ଶୋଇଥିବା ଆଶ୍ରୟହୀନ ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀ ଯିବା ପାଇଁ ପରାମର୍ଶ ଦେଉଛନ୍ତି ।

ସିଲଭର ସିଟିରେ ରାତ୍ରିଚର ପିଶାଚ ଘଟାଉଥିବା ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ସୌଭିକ ବିଶ୍ୱାଳ । କଟକର ରାଣୀହାଟ ଅଂଚଳରେ ଶିବା ଆଶ୍ରୟ ସ୍ଥଳରେ ବି କଟକ ଚୌଦ୍ୱାର ବିଧାୟକ ବୁଲି ନିରାଶ୍ରୟ ଲୋକଙ୍କୁ ସଚେତନ କରିବା ସହ ଡିସିପିଙ୍କୁ ଭେଟିଛନ୍ତି । କଟକରେ ଦିନରାତି ଏକ କରି ପୋଲିସ ସାଇକୋ କିଲରକୁ ଧରିବାକୁ କାମ କରୁଥିବା ଡିସିପି କହିଥିବା ସୂଚନା ଦେଇଛନ୍ତି ବିଧାୟକ ସୌଭିକ ବିଶ୍ୱାଳ । କଟକରେ ଆଗାମୀ ସମୟରେ ଅଧିକ ସଂଖ୍ୟାରେ ରାତି ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ କହିଛନ୍ତି ।

ମନରେ ସାଇକୋ କିଲରର ଭୟ , ତଥାପି ଉପାୟ ନାହିଁ । ବାଧ୍ୟ ହୋଇ ରାସ୍ତା କଡ଼ରେ ଶୋଉଛନ୍ତି ନିରାଶ୍ରୟ । ନିରାଶ୍ରୟମାନେ ଯେତିକି ଚିନ୍ତାରେ ବିଧାୟକଙ୍କୁ ମଧ୍ୟ ସେତିକି ଚିନ୍ତା । ରାତି ରାତି ଅନିଦ୍ରା ହେଉଛନ୍ତି । ସାଇକୋ କିଲର ଆଉ କାହାର ଜୀବନ ନେବା ପୂର୍ବରୁ ଲୋକଙ୍କୁ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାପାଇଁ ପରାମର୍ଶ ଦେଇଛନ୍ତି । ସାଇକୋ କିଲରକୁ ଧରିବାରେ ବିଳମ୍ୱ ହେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଚି ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଆଜିକୁ ୪ ଦିନ ତଳେ ଘଟଣା ଘଟିଥିଲେ ମଧ୍ୟ ଆଜି ଯାଏଁ ସାଇକୋ କିଲର ପତ୍ତା ମିଳିନାହିଁ । ତିନି ତିନୋଟି ହତ୍ୟାକାଣ୍ଡ ପରେ ବି ପୋଲିସର ହାତ ଖାଲି । ଟିଭି ଠାରୁ ଆରମ୍ଭ କରି ଖବର କାଗଜ ସବୁଆଡ଼େ ସାଇକୋ କିଲର କଥା ।

ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକେ ମଧ୍ୟ ଭୟରେ ଜୀବତ ବିତାଉଛନ୍ତି । ଭୟର ବାତାବରଣ ଶୀଘ୍ର ଦୂର ହେବା ଉଚିତ୍ । ତୁରନ୍ତ ପୋଲିସ ସାଇକୋଲ କିଲରକୁ ଧରିବା ଉଚିତ । ଏଭଳି କାଣ୍ଡ ଘଟାଉଥିବା ଲୋକକୁ ଆଜିଯାଏ ଧରିପାରିନି ପୋଲିସ୍ । ଆଶ୍ରୟସ୍ଥଳୀ ଉପରେ କିଛି ଅସାମାଜିକ ଲୋକ କବଜା କରି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଓ ପ୍ରଶାସନ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଲୋକଙ୍କ ସହ ଆଲୋଚନା କରି ସହରରେ ଅଧିକ ସଂଖ୍ୟକ ସିସିଟିଭି ଲଗାଇବା ସହ ଏଂଟ୍ରି ପଏଂଟରେ ଅଧିକ ନଜର ରଖିବାକୁ ଦାବି କରିଛନ୍ତି ମୋକିମ୍ ।