କନକ ବ୍ୟୁରୋ : କଟକ ମହାନଗର ଅଞ୍ଚଳର ଅଧା ରାସ୍ତା ଅନ୍ଧାର । ରାତି ଅଧରେ ତ ସ୍ଥିତି ଆହୁରି ସଂଗୀନ । ରାସ୍ତାରେ ଲାଗିଥିବା ଆଧୁନିକ ଏଲ୍ଇଡି ଲାଇଟ ଜଳୁନି । ରକ୍ଷଣାବେକ୍ଷଣ ପାଇଁ ଜଣେ ଯନ୍ତ୍ରୀଙ୍କ ଦାୟିତ୍ବରେ ୩୦ ହଜାରରୁ ଅଧିକ ଏଲ୍ଇଡି ଲାଇଟ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । କିନ୍ତୁ ଅଚଳ ଲାଇଟ ସଜାଡ଼ିବା ଦିଗରେ ସିଏମ୍ସି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି ।
କଟକ ସହରକୁ ଉଜ୍ବଳ ଏଲଇଡି ଆଲୋକରେ ଆଲୋକିତ କରିବା ପାଇଁ ୨୦୧୭ ଡିସେମ୍ବର ୩୦ ତାରିଖରେ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ସିଏମ୍ସିକୁ ୧୬ ହଜାର ୬୯ଟି ଲାଇଟ ଆସିଥିବାବେଳେ ପରେ ଆଉ ୧୪ ହଜାର ଲାଇଟ ଯୋଗାଇ ଦିଆଯାଇଥିଲା । ୧୦୦ଟି କାର୍ଯ୍ୟ ଦିବସରେ ପ୍ରକଳ୍ପ ଶେଷ ପାଇଁ ନିର୍ଦ୍ଦେଶ ରହିଥିଲା । ତେବେ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଡେନମାର୍କର ନିଭ ଏର୍ନଜୀକୁ ଦିଆଯାଇଥିଲା । ଚୁକ୍ତିନାମା ଅନୁଯାୟୀ, ୭ ବର୍ଷ ପାଇଁ କମ୍ପାନି ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇବ ଏବଂ ଏଥିପାଇଁ ସିଏମ୍ସି ବର୍ଷକୁ ୩୦ କୋଟି ଟଙ୍କା କମ୍ପାନିକୁ ଦେବ । କିନ୍ତୁ ବହୁ ବିଳମ୍ବରେ ପ୍ରକଳ୍ପ ଶେଷ ହୋଇଥିଲା । ମାତ୍ର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ସିଏମ୍ସିରେ ଏଲଇଡି ଲାଇଟ ଏବେ ଠିକ ଭାବେ କାମ କରୁ ନ ଥିବା ଅଭିଯୋଗ ହୋଇଛି ।