ସଞ୍ଜ ନଇଁଲେ କଟକ ବାଲିଯାତ୍ରାରେ ଭିଡ଼ ଜମୁଛି : ୬ ଦିନ ମଧ୍ୟରେ ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର

183

କନକ ବ୍ୟୁରୋ : ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଭିଡ଼ରେ ରେକର୍ଡ ଭାଙ୍ଗି ଥିବା ବେଳେ ବ୍ୟବସାୟରେ ବି ରେକର୍ଡ ଭାଙ୍ଗିଛି । ୬ ଦିନ ମଧ୍ୟରେ ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି । ବାଲିଯାତ୍ରା ପଡିଆରେ କିଣାବିକା ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ହୋଇଥିବା ଓରମାସ୍ ଜାତୀୟ ପଲ୍ଲୀଶ୍ରୀ ମେଳା ପରିସରରେ ଗତକାଲି ପାଖାପାଖି ଅଢେଇ କୋଟି ଟଙ୍କାର ବ୍ୟବସାୟ ହୋଇଛି । ବାଲିଯାତ୍ରା ଇତିହାସରେ ଏହା ଗୋଟିଏ ଦିନରେ ସବୁଠୁ ଅଧିକ ବେପାର ବୋଲି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି । ବାଲିଯାତ୍ରାର ୬ ଦିନ ଭିତରେ ଓରମାସରେ ବେପାର ୯ କୋଟି ଟଙ୍କାରୁ ଅଧିକ ହେଲାଣି ।

ବାଲିଯାତ୍ରାର ଉଭୟ ତଳ ଓ ଉପର ପଡିଆରେ କେବଳ ରବିବାର ଦିନ ବ୍ୟବସାୟ ୧୦ କୋଟି ଛୁଇଁଥିବା ଆକଳନ କରାଯାଉଛି । ଓରମାସ୍‌ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍‌ ରାଉତ୍‌ କହିବା ଅନୁଯାୟୀ ଶୁକ୍ରବାର ଓ ଶନିବାର, ପ୍ରତ୍ୟେକ ଦିନ ପାଖାପାଖି ୨ କୋଟିର ବେପାର ହୋଇଥିବାବେଳେ ରବିବାର ଦିନ ୨.୪୮କୋଟି ଟଙ୍କାର ବିକ୍ରିବଟା କେବଳ ଓରମାସ ପରିସରରେ ହୋଇଛି । ଗଲା ଛଅ ଦିନ ଭିତରେ ରାଜ୍ୟର ସବୁଠାରୁ ବଡ ମେଳା ବାଲିଯାତ୍ରାରେ ବର୍ତ୍ତମାନ ସୁଦ୍ଧା ୪୦ କୋଟିର ବେପାର ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ, ବାଲିଯାତ୍ରା ଭିଡ଼ ପ୍ରଥମ ଦିନରୁ ବଢି ଚାଲିଥିବା ବେଳେ ଗତକାଲି ପଡ଼ିଆ ଜାମ ହୋଇଯାଇଥିଲା । ବାଲିଯାତ୍ରା ପଡିଆକୁ ଯାଉଥିବା ସହରର ସବୁ ରାସ୍ତାରେ ଗାଡ଼ି ଗଡ଼ିବା ଅସମ୍ଭବ ହୋଇ ପଡିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଗାଡ଼ି ଷ୍ଟାଣ୍ଡରେ ଜାଗା ନ ଥିବାରୁ ଆଉ ଷ୍ଟାଣ୍ଡ ଆଡକୁ ନ ଆସିବା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି ଜଣାଇଥିଲେ । ଗତକାଲି ସଂଗୀତ ଷ୍ଟାର୍ ସୋନା ମହାପାତ୍ରଙ୍କ ସୋ ଦେଖିବାକୁ ଭିଡ ବେକାବୁ ହୋଇଥିଲା । ଆସନ୍ତାକାଲି ବଲିଉଡ୍ ସେନ୍ସେସନ୍ କେ.କେ ବାଲିଯାତ୍ରା ପଡିଆରେ ସୋ କରିବାକୁ ଥିବାବେଳେ ପୁଣି ପ୍ରବଳ ଭିଡ଼ ହେବା ଆଶା କରାଯାଉଛି । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତକାଲି ରବିବାର ତୁଳନାରେ ଆଜି ଭିଡ଼ କିଛିଟା ହ୍ରାସ ପାଇଥିଲେ ବି ଦିନରୁ ରାତିଯାଏ ଲୋକ ପଡ଼ିଆରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି ।