ସରିଗଲା ବାଲିଯାତ୍ରା : ୮୦ କୋଟିର କାରବାର, ଶେଷଦିନରେ ଲକ୍ଷାଧିକ ଲୋକଙ୍କ ଭିଡ଼

345

କନକ ବ୍ୟୁରୋ : ଗହଳଚହଳ, ରାସ୍ତା ଜାମ, ନାଚଗୀତରେ ଗଲା ୯ ଦିନ ଧରି ଦୁଲୁକୁଥିଲା କଟକ ସହର । ଆଜି ମଧ୍ୟରାତ୍ରିରୁ ସେ ସବୁର ଅନ୍ତ ଘଟିଛି । କଟକର ଐତିହାସିକ ବାଲିଯାତ୍ରା ଉଦ୍‌ଯାପିତ ହୋଇଛି । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ପୂର୍ବ ବର୍ଷମାନଙ୍କର ସବୁ ରେକର୍ଡ ଭାଙ୍ଗିଛି । ପଡିଆରେ ଅସମ୍ଭବ ଭିଡ଼ ହୋଇଥିବା ବେଳେ ବ୍ୟବସାୟ ପରିମାଣ ବି ୮୦ କୋଟି ଟଙ୍କା ଟପି ଥିବା ଆକଳନ କରାଯାଉଛି । କେବଳ ଓରମାସ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଚଳିତ ବର୍ଷ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।

ଗତ ରବିବାର ଦିନ ଓରମାସରେ ଅଢେଇ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଗତକାଲି ୨ କୋଟି ୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି । ପ୍ରଥମ ଦୁଇ ଦିନକୁ ବାଦ ଦେଲେ ଅନ୍ୟ ଦିନ ମାନଙ୍କରେ ହାରାହାରି ଭାବେ ଦେଢରୁ ଦୁଇ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଗତବର୍ଷ ବାଲିଯାତ୍ରାରେ ଓରମାସ ପରିସରରେ ୧୪ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ପାଖାପାଖି କୋଟିଏ ଟଙ୍କା ବଢି ଯାଇଛି । ଓରମାସ ପରିସରରେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ନେଇ ୭ ଶହ ଷ୍ଟଲ ପଡିଥିଲା । କିନ୍ତୁ ବାଲିଯାତ୍ରା ତଳ ଓ ଉପର ପଡିଆରେ ପାଖାପାଖି ୩ ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ବ୍ୟବସାୟ କରୁଥିବାରୁ ଏହି ହିସାବରେ ମୋଟ ବ୍ୟବସାୟ ୮୦ କୋଟି ଟଙ୍କା ଟପିଥିବା ଆକଳନ କରାଯାଉଛି। ସେହିଭଳି ୯ ଦିନରେ ୪୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଇଛି ।

ସକାଳେ ପଥୋତ୍ସବରେ ଖେଳକୁଦ, ଯୋଗ, ଭଜନ, କୀର୍ତ୍ତନ, ମଧ୍ୟାହ୍ନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ର, ମହାନଦୀରେ ବୋଇତ ଯାତ୍ରା, ସଂଧ୍ୟାରେ ଦଲେର ମେହେନ୍ଦୀ, ଋତୁରାଜ ମହାନ୍ତି, ସୋନା ମହାପାତ୍ର, କେକେ, ସୁବାସ ଦାଶ, ଇରା ମହାନ୍ତି, ଅସୀମା ପଣ୍ଡା, ଅନନ୍ୟାଙ୍କ ଭଳି ରାଜ୍ୟ ତଥା ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ କଳାକାରଙ୍କ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତ ବର୍ଷର ବାଲିଯାତ୍ରାରେ ଚମକ ଆଣି ଦେଇଥିଲା। ଏଭଳି ନୂଆ କାର୍ଯ୍ୟକ୍ରମ ସାଙ୍ଗକୁ ନୂଆନୂଆ ସାମଗ୍ରୀର ସମ୍ଭାର ବାଲିଯାତ୍ରାକୁ ଆକର୍ଷଣୀୟ କରିଥିଲା। ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା, ଜାତୀୟ ମହୋତ୍ସବ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ନେଇଥିବା ବିଭିନ୍ନ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଭଳି ଘଟଣା ବାଲିଯାତ୍ରାକୁ ଚର୍ଚ୍ଚାରେ ରଖିଥିଲା। ମୋଟାମୋଟି ଭାବେ ଚଳିତ ବର୍ଷ ବାଲିଯାତ୍ରା ସଫଳତାର ସହ ଶେଷ ହୋଇଥିବାବେଳେ ଆସନ୍ତା ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।