ରଜ ପର୍ବ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ । ୧୨ ତାରିଖ ରାତି ୭ ଟା ପରିବର୍ତ୍ତେ ୧୦ ଟାରୁ କର୍ଫ୍ୟୁ । ଶୁକ୍ରବାର କର୍ଫ୍ୟୁ କୋହଳ ନେଇ ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର

1,319

କନକ ବ୍ୟୁରୋ : କୋହଳ ହେବ କର୍ଫ୍ୟୁ । ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଶୁକ୍ରବାର ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସେପେଟ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ୟଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲାପ୍ରଶାସନ ।

ଆସନ୍ତା ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଂଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ତେବେ ଅନ୍ୟ ଦୋକାନ ଗୁଡିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।