ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛନ୍ତି ଦିବ୍ୟାଙ୍ଗ : ଭଜନ ସଂଧ୍ୟା କରି ନିଜ ସାଥୀଙ୍କ ପାଇଁ ଅର୍ଥ ଯୋଗାଡ କରୁଛି ନବରଙ୍ଗପୁର ଗଙ୍ଗତୁଳସୀ ଦୃଷ୍ଟିହୀନ ଭଜନ ସମାରୋହ ଅନୁଷ୍ଠାନ

211

କନକ ବ୍ୟୁରୋ : ଭଗବାନଙ୍କ ସୃଷ୍ଟିରେ କେହି ଅକ୍ଷମ ନୁହଁନ୍ତି । ତା ସହିତ ପୁଣି ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଦିବ୍ୟାଙ୍ଗ ଙ୍କ ପାଇଁ ଗାଁ ଗାଁ ବୁଲି ଭଜନ ଗାଇ ଖାଇବା ପାଇଁ ପେଟକୁ ଦାନା ଯୋଗାଡ କରୁଛନ୍ତି । ଭିନ୍ନକ୍ଷମ ହୋଇ ମଧ୍ୟ କାହା ପାଖରେ ହାତ ପତାଇ ମାଗିବା ଅପେକ୍ଷା ନିଜ କଳାନୈପୁଣ୍ୟକୁ ଗୀତ ମାଧ୍ୟମରେ ପରିବେଷଣ କରନ୍ତି । ଆଉ ଲୋକେ ଯାହା ଖୁସିରେ ଦିଅନ୍ତି ସେଇଥିରେ ୬୦ ଜଣ ଅନ୍ଧ, ମୁକ, ବଧିର ଙ୍କ ମୁହଁରେ ହସ ଫୁଟାଇଛନ୍ତି ଏହି ଦିବ୍ୟାଙ୍ଗ ଅନୁଷ୍ଠାନ । ସେଇଥିପାଇଁ ଅକ୍ଷମ ହୋଇ ବି ସକ୍ଷମର ପରିଚୟ ଦେଇ ଅନ୍ୟ ପାଇଁ ଉଦାହରଣ ସାଜି ପାରିଛି ନବରଙ୍ଗପୁରର ଗଙ୍ଗାତୁଳସୀ ଦୃଷ୍ଟିହୀନ ଭଜନ ସମାରୋହ ଅନୁଷ୍ଠାନ ।

ସମସ୍ତ ଦୃଷ୍ଟିହୀନ କଳାକାରଙ୍କୁ ନେଇ ଗଠିତ ହୋଇଛି ନବରଙ୍ଗପୁର ଗଙ୍ଗାତୁଳସୀ ଦୃଷ୍ଟିହୀନ ଭଜନ ସମାରୋହ ଅନୁଷ୍ଠାନ । ଏହି ଅନୁଷ୍ଠାନର ସଦସ୍ୟମାନେ ସମ୍ବଲପୁର କୁଚିଣ୍ଡା ପଂଚମୁଖୀ ଛକରେ ପହଂଚି ଅନୁରୋଧ କରିଥିଲେ ଭଜନ ସଂଧ୍ୟା କରିବା ପାଇଁ । ହେଲେ ସ୍ଥାନୀୟ ଲୋକେ ପ୍ରାପ୍ୟ ବାବଦକୁ କେତେ ଦେବେ ପଚାରିବାରୁ ଦିବ୍ୟାଙ୍କ କଣ୍ଠଶିଳ୍ପୀମାନେ କହିଥିଲେ ସେମାନେ ଗୀତ ପରିବେଷଣ କରିବେ, ଲୋକେ ଖୁସି ହୋଇ ଯାହା ଦେବେ, ତାହା ହେବ ସେମାନଙ୍କ ପ୍ରାପ୍ୟ ।

ନବରଙ୍ଗପୁରର ଗଙ୍ଗାତୁଳସୀ ଦୃଷ୍ଟିହିନ ଭଜନ ସମାରୋହ ଅନୁଷ୍ଠାନର ସଦସ୍ୟମାନେ ନବରଙ୍ଗପୁରରେ ଏକ ଦିବ୍ୟାଙ୍ଗ ସ୍କୁଲ କରିଛନ୍ତି । ସେଠାରେ ୬୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ରଖିଛନ୍ତି । ସେମାନଙ୍କ ଭରଣପୋଷଣ ପାଇଁ  ଗାଁ ଗାଁ ବୁଲି ଭଜନ ସମାରୋହ କରି ଅର୍ଥ ଯୋଗାଡ କରୁଛି ଏହି ଅନୁଷ୍ଠାନ । ଏମାନଙ୍କ କାହାଣୀ ଶୁଣିବା ଆପଣା ଛାଏଁ ମନକୁ ଆସିଯାଏ, ଦୁଃଖିର କଥା ଦୁଃଖୀକୁ ହିଁ ଜଣା ।