ଘର ଅଗଣାରେ ଆଉ ଶୁଭୁନି କାଉ ଡାକ :  ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଲାଣି କାଉ ବଂଶ, ଚିନ୍ତାରେ ପରିବେଶବିତ୍

1,048
କା କା କା ରାବଇ କାଉ । 
ଉଠ ଉଠ ମଠ ନକର ଆଉ । 
ଘର ଅଗଣାରେ ଶୁଭୁନି କାଉ ଡାକ । ସକାଳ ହେଲେ ଆଉ ଶୁଭୁନି କାଉର କା. . କା. . ରାବ । ବିଳମ୍ବରେ ନିଦ ଭାଙ୍ଗିଲେ ଉଠାଇବାକୁ ଆଉ କାଉ ନାହାନ୍ତି ।  ଧୀରେ ଧୀରେ କାଉ ବଂଶ ଲୋପ ପାଇବାକୁ ବସିଲାଣି । ପରିବେଶକୁ ସଫାସୁତୁରା ରଖୁଥିବା କାଉ, କାଁ ଭାଁ ଦେଖିବାକୁ ମିଳୁଛନ୍ତି । ସଙ୍କଟ ଭିତରେ କାଉ ବଂଶଙ୍କ ଭବିଷ୍ୟତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ଆଖ ପାଖ ଅଞ୍ଚଳରେ ଗତ କିଛି ବର୍ଷ ହେବ କାଉ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଆଉ ଏଥିପାଇଁ ଚିନ୍ତାରେ ବୁଦ୍ଧିଜୀବୀ, ପରିବେଶବିତ୍ ଓ ସାଧାରଣ ଲୋକ ।

ଆଧୁନିକତାର ସମାଜ ଗଢ଼ିବା ଲକ୍ଷ୍ୟରେ ମନୁଷ୍ୟ । ବଣ ଜଙ୍ଗଲ ସଫା କରିବା ସହ ବଡ଼ ବଡ଼ ଅଟ୍ଟାଳିକା ଗଢ଼ିବାରେ ବ୍ୟସ୍ତ ଏ ସଭ୍ୟ ସମାଜ । ବିଜ୍ଞାନର ଅଗ୍ରଗତି ହେଉଥିବା ବେଳେ ତା’ସହ ଖାପଖୁଆଇ ଚାଲିପାରୁ ନାହାଁନ୍ତି ପକ୍ଷୀ ସମାଜ । ମନୁଷ୍ୟର ଏହି ଆଧୁନିକତା କାରଣରୁ ପୃଥିବୀରେ କ୍ରମଶ ଲୋପ ପାଇବାରେ ଲାଗିଛନ୍ତି ବନ୍ୟ ଜନ୍ତୁ ଓ ପଶୁ ପକ୍ଷୀ । ଶାଗୁଣା, ଚିଲ, ଗେଣ୍ଡାଳିଆ, ଶାରୀ ଓ ବାଦୁଡି ଭଳି ଅନେକ ପକ୍ଷୀ ଆଉ ନୀଳ ଆକାଶରେ ଡେଣା ମେଲାଇ ଉଡିବାର ଦେଖିବାକୁ ମିଳୁନାହିଁ । ଧୀରେ ଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ କାଉଙ୍କ ସଂଖ୍ୟା ମଧ୍ୟ କମିକମି ଯାଉଛି ।

ଚାଷରେ ରାସାୟନିକ କୀଟନାଶକ ପ୍ରୟୋଗ, ମୋବାଇଲ ଟାୱାର ରେଡିଏସନ୍, ଜଳବାୟୁ ପରିବର୍ତ୍ତନ ସହ ବିଜ୍ଞାନର କ୍ଷୀପ୍ରତା ଏମାନଙ୍କ ପାଇଁ ଘାତକ ସାଜିଛି । ଆଗକୁ ମଣିଷ ସମାଜ ସଚେତନ ନହେଲେ କାଉ ବଂଶ ଲୋପ ପାଇଯିବା ଏକପ୍ରକାର ନିଶ୍ଚିତ । ଭବିଷ୍ୟତରେ କାଉ ବଂଶ ଇତିହାସ ପାଲଟିଯିବା ସହ ପରିବେଷ ସନ୍ତୁଳନରେ ଏହାର ଘୋର ପ୍ରଭାବ ପଡିବ ଏଥିରେ ସନ୍ଦେହ ନାହିଁ ।