ସୁବର୍ଣ୍ଣପୁର ଚାଷୀଙ୍କ ଆଶା ଧୋଇନେଲା କାଳବୈଶାଖୀ ! ଅଦିନଆ ଝଡବର୍ଷା ମାଡରେ ଜମିରେ ଶୋଇଲା ପାଚିଲା ଧାନ

41

କନକ ବ୍ୟୁରୋ : ସୁବର୍ଣ୍ଣପୁର ଚାଷୀ ମୁଣ୍ଡରେ କାଳବୈଶାଖୀ ଚଡକ । କାଳବୈଶାଖୀ ପ୍ରଭାବରେ ହୋଇଥିବା ଅଦିନଆ ଝଡବର୍ଷାରେ ନଷ୍ଟ ହୋଇଛି ଧାନ ଫସଲ । ଗତ ଦୁଇ ଦିନ ତଳେ ହୋଇଥିବା କୁଆପଥର ବର୍ଷା ମାଡରେ ଜମିରେ ଶୋଇଛି ଧାନ ଗଛ । କେତେକ ସ୍ଥାନରେ କଟା ହୋଇଥିବା ଧାନ ଗଜା ହୋଇ ଯାଇଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଛି ଚାଷୀକୂଳ ।

କାଳବୈଶାଖୀ ପ୍ରବାବରେ ଏଥର ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଚଳିତ ଖରିଫ ଋତୁରେ ବିଳମ୍ବିତ ଚାଷ ସାଂଗକୁ ବର୍ଷା ଅଭାବରୁ ମରୁଡି , ବାହାଲ ଜମିରେ ଚକଡା ପାଇଁ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ କାଳବୈଶାଖୀ ପ୍ରବାବରେ କୁଆପଥର ମାଡ ସହିତ ଝଡତୋଫାନ ଓ ବର୍ଷାରେ ରବି ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ଚାଷୀମାନେ ବର୍ତ୍ତମାନ ପର୍ୟ୍ୟନ୍ତ ଚକଡା ଜନିତ କ୍ଷତିର କ୍ଷତିପୂରଣ ପାଇ ନ ଥିବା ବେଳେ ଏବେ ବାରମ୍ବାର କାଳବୈଶାଖୀ ଯୋଗୁଁ କୁଆପଥର ମାଡ, ଝଡ ତୋଫାନ ଓ ବର୍ଷାରେ ଜମିରୁ ଧାନ ଅମଳ କରି ପାରୁ ନ ଥିବା ବେଳେ କ୍ଷତିପୂରଣ ଦାବି କରି ଚାଷୀ ସରକାରୀ ବାବୁ ମାନଙ୍କୁ ଅଭିଯୋଗ କରି ନିରାଶ ହୋଇଛି ।

ହଠାତ୍ ଆକାଶରେ ଘୋଟି ଆସିବା କଳାହାଣ୍ଡି ମେଘ ବର୍ଷି ଦେଇଗଲା । ଆଉ ଏ ହେଉଛି ବର୍ଷା ଦେଇ ଯାଇଥିବା ଦୁଃଖ । ମାତ୍ର କେଇ ଘଂଟାର ବର୍ଷା ଉଜାଡି ଦେଇଛି ଧାନ ଫସଲ । ପ୍ରବଳ ବର୍ଷା ସାଙ୍ଗକୁ ପବନରେ ବିଲରେ ଶୋଇ ପଡିଛି ପାଚିଲା ଧାନ ଗଛ । ଆଉ କେତେକ ସ୍ଥାନରେ କଟା ହୋଇଥିବା ଧାନ ହଳା ଗଜା ହେବାକୁ ବସିଛି । ଏମିତି ଦୁଃଖଦ ପରିସ୍ଥିତି ଦେଇ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଚାଷୀକୂଳ ।