କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ ! ରାଜନଗର ରାଜପୁର ଗାଁରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ବାମ ହାତରେ ଲାଗିଛି ଗଭୀର ଆଘାତ

201

କନକ ବ୍ୟୁରୋ : କୁମ୍ଭୀର ସହ ଲଢେଇ । ପାଣି ଭିତରେ ଲଢେଇ କରି ଜୀବନ ବଂଚାଇଛନ୍ତି କେନ୍ଦ୍ରାପଡା ଯୁବକ । ଏଥିରେ ସଂପୃକ୍ତ ଯୁବକଙ୍କ ବାମ ହାତ ଗଭୀର ଭାବେ ଆଘାତ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ରାଜପୁର ଗାଁରେ । ଗାଁର ବ୍ରାହ୍ମଣୀ ନଦୀରେ ଥିବା ବାଥିଂ ଘାଟରେ ଭାଗବତ ରାଉତ ନାମକ ଜଣେ ଯୁବକ ଗାଧୋଉଥିଲେ । ଏହି ସମୟରେ ବାଥିଂ ଘାଟରେ ତାର ଜାଲି ଛିଡିଯାଇଥିଲା । ଆଉ କୁମ୍ଭୀର ଆସି ଭାଗବତଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ତାଙ୍କ ବାମ ହାତକୁ ଧରିଦେଇଥିଲା । ଭାଗବତ କିନ୍ତୁ ସାହସର ସହ ଲଢି ନିଜକୁ ରକ୍ଷା କରିଥିଲେ । ଆକ୍ରମଣରେ ଭାଗବତଙ୍କ ହାତ ଗୁରୁତର ହୋଇଛି । ତାଙ୍କୁ କେନ୍ଦ୍ରପଡା ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡାରେ କୁମ୍ଭୀର ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । କୁମ୍ଭୀର ଆତଙ୍କ ପାଇଁ ଚିନ୍ତାରେ ପଡିଯାଇଛନ୍ତି ନଇକୂଳିଆ ବାସିନ୍ଦା । ଭୟଭୀତ ଅବସ୍ଥାରେ ଜୀବନ ବ୍ୟତୀତ କରୁଛନ୍ତି । ଲଗାତର ଭାବେ କୁମ୍ଭୀର ଆକ୍ରମଣରେ କେହି କେହି ଗୁରୁତର ହେଉଥିବା ବେଳେ କାହାର ଜୀବନ ଯାଉଛି ।