କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ଜୀବନ ! ଡଙ୍ଗାରୁ ବାଲି କାଢ଼ୁଥିବା ବେଳେ ରାଜନଗରର କୈଳାସ ସେଠୀଙ୍କ ଜଂଘକୁ କାମୁଡ଼ି ଧରିଥିଲା କୁମ୍ଭୀର

54

କନକ ବ୍ୟୁରୋ : ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ । ଡଙ୍ଗାରୁ ବାଲି କାଢ଼ୁଥିବା ବେଳେ ହଠାତ୍ ଜଂଘକୁ କାମୁଡ଼ି ଧରିଥିଲା କୁମ୍ଭୀର, ତେବେ ଅନ୍ୟଜଣେ ଲୋକ ପଥରରେ ଆକ୍ରମଣ କରିବାରୁ ଛାଡ଼ି ଦେଇଥିଲା କୁମ୍ଭୀର । କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଏଭଳି ଏକ ଘଟଣା । ତେବେ ରାଜନଗରେ ବାରମ୍ବାର ଏପରି ଘଟଣା ଦେଖିବା ପାଇଁ ମିଳୁଛି ।

ଗାଁର କୈଳାସ ସେଠୀ ସବୁଦିନ ପରି ନଈତୁଠରେ ଡଙ୍ଗାରୁ ବାଲି କାଢ଼ୁଥିବା ବେଳେ ହଠାତ ଆକ୍ରମଣ କରିଥିଲା ଏକ ବଉଳା କୁମ୍ଭୀର । ଯନ୍ତ୍ରଣାରେ ଚିତ୍କାର କରୁଥିବା କୈଳାସ ନିଜ ଆଖି ସାମ୍ନାରେ ନିକଟରୁ ଦେଖିପାରୁଥିଲେ ମୃତ୍ୟୁକୁ । କ୍ରମେ କୁମ୍ଭୀରଟି କୈଳାସଙ୍କ ଜଂଘକୁ କାମୁଡ଼ି ଧରିଥିଲା । ତେବେ ଚିତ୍କାର ଶୁଣି ନିକଟରେ ଥିବା ଜଣେ ଶ୍ରମିକ କୁମ୍ଭୀର ଉପରକୁ ପଥରମାଡ଼ କରିଥିଲେ ଆଉ ବଦଳିଯାଇଥିଲା ପୁରା ଘଟଣା । ତଳି ପେଟରେ ପଥରମାଡ଼ ହେବାରୁ କୁମ୍ଭୀରଟି ଛାଡ଼ିଦେଇଥିଲା କୈଳାସଙ୍କୁ ଆଉ ମୃତ୍ୟୁର ପାଟିରୁ ବଂଚିଯାଇଥିଲା ଜୀବନ । ଗୁରୁତର ଅବସ୍ଥାରେ ଏବେ କୈଳାସ୍ ରାଜନଗର ହସ୍ପିଟାଲରେ ।

ବେଲପାଳ ଗାଁ ପାଖ ନଈରେ ଦୁଇଟି ବଡ ବଉଳା କୁମ୍ଭୀର ରହୁଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ । କୁମ୍ଭୀର ଆକ୍ରମଣରେ ଗାଁରେ ଦୁଇ ଜଣଙ୍କର ଜୀବନ ମଧ୍ୟ ଯାଇଛି । ଏହା ବ୍ୟତୀତ ବହୁ ଲୋକ କୁମ୍ଭୀର ଆକ୍ରମଣର ଶିକାର ବି ହୋଇଛନ୍ତି । ଏ ସଂପର୍କରେ ବନବିଭାଗକୁ ନିରାପଦ ତୁଠ ନିର୍ମାଣ ପାଇଁ ବାରମ୍ବାର କହିଲେ ମଧ୍ୟ ବନବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । କୁମ୍ଭୀର-ମଣିଷ ଲଢ଼େଇ ଏହି ଅଂଚଳରେ ଏବେ ନିତିଦିନିଆ ଘଟଣା ହୋଇଯାଇଛି । କେତେବେଳେ ଜୀବନ ଯାଉଛି ତ କେତେବେଳେ ଦୈବୀଯୋଗରୁ ବଂଚିଯାଉଛି ଜୀବନ । ତେବେ ବର୍ତ୍ତମାନ ସମୟ, ପ୍ରଶାସନ ଏକ ନିରାପଦ ତୁଠ ତିଆରି କରି ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ।