Youth Shot Dead Photograph: (Kanak News)
କନକ ବ୍ୟୁରୋ : କଟକ ସହରରେ ଚାଞ୍ଚଲ୍ୟ । ଭୋଜି ବେଳେ ଚାଲିଗଲା ଜୀବନ । ମଧୁପାଟଣା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଭୋଜି ଖାଇବା ବେଳେ ଗୁଳିମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କିଏ ଓ କାହିଁକି ଗୁଳି କଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହଠାତ୍ ଗୁଳି ଶବ୍ଦରେ କମ୍ପି ଉଠିଥିଲା ପୁରା ଅଞ୍ଚଳ । କେହି କିଛି ବୁଝିବା ଆଗରୁ ରକ୍ତ ଜୁଡୁବୁଡୁ ହୋଇ ଟଳି ପଡିଥିଲେ ଜଣେ ଯୁବକ ।
ଅଧିକ ପଢ଼ନ୍ତୁ : ରାଜଧାନୀରେ କଥା କଥାରେ ବୁଲୁଛି ଖଣ୍ଡା; କୋମାରେ ଅଛି କି କମିସନରେଟ୍ ପୁଲିସ ?
ସୂଚନା ଅନୁଯାୟୀ, ଗୁଳି ଯୁବକଙ୍କ ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ପରିଚୟ ଏବେ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ ।
ତେବେ ପ୍ରଶ୍ନ ଉଠୁଛି, ଭୋଜି ଭିତରେ କିଏ ଚଳାଇଲା ଗୁଳି ? ଏହା ପୂର୍ବ ଶତ୍ରୁତା କାରଣରୁ ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ? କିଏ ଏବଂ କାହିଁକି ଏହି ଗୁଳିମାଡ଼ କଲା, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ଖବର ପାଇ ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କଟକ ଭଳି ସହରରେ ଏଭଳି ଗୁଳିକାଣ୍ଡ ଘଟିବା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Follow Us