କନକ ବ୍ୟୁରୋ : ରାଜଧାନୀରେ ଗୁଣ୍ଡା ଓ ଅପରାଧୀଙ୍କ ରାଜ୍ । କମିସନରେଟ ପୁଲିସର ନାକ ତଳେ ମାତିଛନ୍ତି ଲୁଟେରା । କେଉଁଠି ଅଫିସ୍ ପଶି ଖଣ୍ଡାରେ ହାଣୁଛନ୍ତି ତ, କେଉଁଠି ଖୋଦ୍ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ପରିବାର ବି ସୁରକ୍ଷିତ ନୁହନ୍ତି । ସୁନା ଲୋଭି ସ୍ପ୍ରେ ମ୍ୟାନ୍ ବି ଖେଳାଇଲା ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଆଜି ଗୋଟିଏ ଦିନରେ ତିନି ତିନିଟି ଘଟଣା କମିସନରେଟ୍ ପୁଲିସର ସକ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାତିରେ ହାଣିଲେ, ସକାଳୁ ଝାମ୍ପିଲେ, ଦିନରେ ଲୁଟିଲେ । ରାଜଧାନୀରେ ଚାଲିଛି କ’ଣ ? ହାତରେ ଖଣ୍ଡା, ଭୁଜାଲି, କଟୁରୀ ଧରି ଆତଙ୍କ ଖେଳାଇଲେ । ଆଗରେ ଯିଏ ପଡ଼ିଲା, ହଣା ଖାଇଲା । ଚୋଟ ପରେ ଚୋଟ, ରକ୍ତମୁଖା ଦୁର୍ବୃତ୍ତ । ଏହା କୌଣସି ସିନେମାର ସିନ୍ ନୁହେଁ, ବରଂ ଖୋଦ୍ ରାଜଧାନୀ ଭୁବନେଶ୍ୱରର । ତମାଣ୍ଡୋ ଅଞ୍ଚଳର ଏକ ଅଫିସ ଭିତରେ ପଶି ଅଧରାତିରେ ଅତର୍କିତ ଆକ୍ରମଣ କରିଛନ୍ତି ୭ ଜଣ ଦୁର୍ବୃତ୍ତ । ରାଜନୈତିକ ବିବାଦରୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଇଥିବା ବେଳେ, ଗୁରୁତର ହୋଇଛନ୍ତି ପ୍ରଦୀପ ବାରିକ ଓ ଗୋପୀନଥ ଭୁଜବଳ ।
ଅଧିକ ପଢ଼ନ୍ତୁ : ଭଦ୍ରକ କଲେଜରେ ତୁମୁଳକାଣ୍ଡ ; ପୁଲିସ୍ ହେପାଜତରୁ ମୁଖ୍ୟ ଅଭିଯୁକ୍ତ ଫେରାର
ରାତି ପାହିବା ବେଳକୁ ସାମ୍ନାକୁ ଆସିଲା ପୁଣି ଏକ ଅପରାଧର ଖବର । ଏଥର ଅପରାଧୀଙ୍କ ଶିକାର ପାଲଟିଥିଲେ ଖୋଦ୍ ପୁଲିସ ଅଧିକାରୀଙ୍କ ସଂପର୍କୀୟ । ସକାଳ ପ୍ରାୟ ୭ଟା, ଚନ୍ଦ୍ରଶେଖରପୁରରେ ଜଣେ ଏସିପିଙ୍କ ମାଆ ମର୍ଣ୍ଣିଂ ୱାକ୍ କରିବା ବେଳେ, ସ୍କୁଟିରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ ୨ ମୁଖା ପିନ୍ଧା ଲୁଟେରା । ଖେଳି ଯାଇଥିଲା ଚାଞ୍ଚଲ୍ୟ । ଯଦି ପୁଲିସ ଅଧିକାରୀଙ୍କ ପରିବାର ସୁରକ୍ଷିତ ନୁହେଁ, ସାଧାରଣ ଲୋକଙ୍କ ସୁରକ୍ଷା କିଏ ପଚାରେ ?
ଅପରାହ୍ନରେ ପୁଣି ଅପରାଧ । ମାତିଲା ‘ସ୍ପ୍ରେ ମ୍ୟାନ୍’, ଲୁଟିନେଲା ସୁନା ଚେନ୍ । କଳିଙ୍ଗ ବିହାରର ଏକ ଗହଣା ଦୋକାନରେ ଗରାଖ ହୋଇ ପଶିଥିଲା । ମୁହଁରେ ଥିଲା ମାସ୍କ, ମନରେ ଥିଲା ଲୁଟ୍ର ବ୍ଲୁ ପ୍ରିଣ୍ଟ୍ । ଭଉଣୀ ବାହାଘର ଅଛି କହି ଗହଣା ଦେଖିଲା । ମଉକା ପାଇଁ ମୁହଁରେ ସ୍ପ୍ରେ କଲା, ଆଉ ନେଇଗଲା ୨ଟି ସୁନା ଚେନ୍ ଓ ୫ଟି ମୁଦି ।
ୱି କେୟାର୍, ୱି ଡେୟାର୍ । ଓଡ଼ିଶା ପୁଲିସର ବଛା ବଛା ଅଫିସରଙ୍କୁ ନେଇ ତିଆରି ହୋଇଛି କମିସନରେଟ୍ ପୁଲିସ । ହେଲେ ଏହି ୩ଟି ଘଟଣା କହୁଛି, କେତେ ସୁରକ୍ଷିତ ଆମ ରାଜଧାନୀ । ଛକ ବଜାରରେ ଚର୍ଚ୍ଚା ହେଲାଣି- ଆଇସିୟୁରେ ପଡ଼ିଛି କି ସୁରକ୍ଷା ବ୍ୟବସ୍ଥା ? କୋମାରେ ଅଛି କି କମିସନରେଟ୍ ପୁଲିସ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/crime-rate-2026-02-17-20-22-41.jpg)