କନକ ବ୍ୟୁରୋ : ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ମାଆ । ମିଳିମିଶି ପୁଅକୁ ମାରିଦେଲେ, ଏବେ କିଏ ଦେବ ନ୍ୟାୟ । କେଉଁଠୁ ଫେରି ପାଇବେ ପଢ଼ୁଆ ପୁଅକୁ । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ସୌମ୍ୟ ରଂଜନଙ୍କ ପରିବାର ଏବେ ଦୁଃଖରେ ମ୍ରିୟମାଣ । କଟକ ସଦର ଥାନା ଉତ୍ତମପୁରର ନିଶାମୁକ୍ତି କେନ୍ଦ୍ର, ଯେଉଁଠି ଜଣେ ବିଟେକ୍ ଇଞ୍ଜିନିୟରଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ ସୌମ୍ୟ ରଞ୍ଜନ ଦାସ । ତାଙ୍କ ଘର ଖୋର୍ଦ୍ଧା ଜଟଣୀ ରାଜା ବଗିଚା ଅଞ୍ଚଳରେ । ପ୍ରାୟ ୩ ମାସ ତଳେ ସେ ମାନସିକ ଚାପର ଶିକାର ହୋଇ ଏଠାକୁ ଭଲ ହେବାକୁ ଆସିଥିଲେ । ହେଲେ ନିଶାମୁକ୍ତି କେନ୍ଦ୍ରରେ ୪ ଅନ୍ତେବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । 

Advertisment

କାମରେ ଆସୁନି ମେଗା ଜଳଯୋଗାଣ ପ୍ରକଳ୍ପ; କାରଖାନା ଶୋଷୁଛି ପାଣି, ଲୋକେ ହନ୍ତସନ୍ତ

ସୂଚନା ଅନୁସାରେ ଗତକାଲି ଦୀପାବଳି ଥିବା ବେଳେ ଝରକା ତାଡ଼ି ନିଶା ନିବାରଣ କେନ୍ଦ୍ରରୁ ଖସିଯିବାକୁ ଉଦ୍ୟମ କରୁଥିଲେ ୪ ଅନ୍ତେବାସୀ । ସୌମ୍ୟ ରଞ୍ଜନ ଏହା ଦେଖି ଦେବାରୁ ୪ ଜଣ ମିଶି ତାଙ୍କୁ ରାସ୍ତାରୁ ହଟାଇଦେଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଅନ୍ତେବାସୀ କହିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି । ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ପୁଲିସ ଅଟକ ରଖିଛି । କେନ୍ଦ୍ରରେ ଥିବା ୩୩ ଅନ୍ତେବାସୀଙ୍କୁ ବି କରାଯିବ ପଚରାଉଚରା । ଏଥିସହ ସଂପୃକ୍ତ ନିଶା ନିବାରଣ କେନ୍ଦ୍ରକୁ ସିଲ୍ କରାଯିବ ବୋଲି ପୁଲିସ କହିଛି । କେତେ ସୁରକ୍ଷିତ ନିଶାମୁକ୍ତି କେନ୍ଦ୍ର? ନିଶା କବଳରୁ ମୁକୁଳିବା ପାଇଁ ଆସି ହରାଉଛନ୍ତି ପ୍ରାଣ । ବାରମ୍ବାର ଏପରି ଘଟୁଥିଲେ ବି କ’ଣ ପାଇଁ ଆକ୍ସନ୍‌ ନେଉନି ପ୍ରଶାସନ? ଛତୁ ଫୁଟିବା ଭଳି ଖୋଲୁଥିବା ନିଶା ନିବାରଣ କେନ୍ଦ୍ର ଉପରେ କେବେ ଲାଗିବ ଅଙ୍କୁଶ?