କନକ ବ୍ୟୁରୋ : ଅବଧିର ୨ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ଯାଜପୁର ଜିଲ୍ଳା ଧର୍ମଶାଳାର ମେଗା ପାନୀୟ ଜଳ ପ୍ରକଳ୍ପ । ବଡଚଣାର ୪୩ ଓ ଧର୍ମଶାଳାର ୪୫ ପଞ୍ଚାୟତକୁ ପାଣି ଯୋଗାଇବାକୁ ହୋଇଥିଲା ପ୍ରକଳ୍ପ । ଏପଟେ ସିମେଣ୍ଟ କାରଖାନା ଭୂତଳ ଜଳ ଶୋଷୁଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ ।

Advertisment

ପାନୀୟ ଜଳ ଯୋଗାଇବା ପାଇଁ ସରକାର ମେଗା ଜଳଯୋଗାଣ ପ୍ରକଳ୍ପ କରିଛନ୍ତି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିକୁଦିଆଠାରେ ବି ପ୍ରକଳ୍ପ ହୋଇଛି । ୨୦୧୯ରେ ଧର୍ମଶାଳା ଓ ବଡ଼ଚଣା ବ୍ଲକର ଲୋକଙ୍କ ଶୋଷ ମେଣ୍ଟାଇବା ଲକ୍ଷ୍ୟରେ ୨୮୭ କୋଟି ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ୨୦୨୩ରେ ପ୍ରକଳ୍ପ ସାରିବାକୁ ଠିକା ସଂସ୍ଥାକୁ କୁହାଯାଇଥିଲା । ହେଲେ ଏବେ ସୁଦ୍ଧା ୬୦% କାମ କରି ଠିକାଦାର ୮୫% ବିଲ୍‌ ନେଇସାରିଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲେ ବି କିଛି ସୁଫଳ ମିଳୁନାହିଁ ।

ସେପଟେ ସ୍ଥାନୀୟ ଅଞ୍ଚଳର ଏକ ସିମେଣ୍ଟ କମ୍ପାନି ଭୂତଳ ଜଳ ଶୋଷୁଥିବା ସଙ୍ଗିନ ଅଭିଯୋଗ ଆସିଛି । ଧର୍ମଶାଳା ବ୍ଲକର ଥାନୁଆଳ ପଞ୍ଚାୟତକୁ ଲାଗି ରହିଥିବା ଘରୋଇ ସିମେଣ୍ଟ କାରଖାନା ଡିପ୍ ବୋର ଜରିଆରେ ଭୂତଳ ଜଳ ବ୍ୟବହାର କରୁଛି । ଏହାର ପ୍ରଭାବରେ ଭୂତଳ ଜଳସ୍ତର କମୁଛି । ଫଳରେ ଯୋଗରଡ଼ା, ମୁରାରିପୁର, ଶ୍ରୀବନ୍ତପୁର, ନୂଆଖୁଣ୍ଟା ଗାଁର ଲୋକେ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି । ନଳକୂପରୁ ଆଇରନ ଯୁକ୍ତ ପାଣି ବାହାରୁ ଥିବାରୁ ଅଧକିଲୋମିଟର ଦୂରରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ । ଧର୍ମଶାଳା ଲୋକଙ୍କ ଜଳକଷ୍ଟ ଦୂର କରିବାକୁ ମେଗା ଜଳପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।