High court Photograph: (Kanak News)
କନକ ବ୍ୟୁରୋ: କୋର୍ଟକୁ ଆସିଥିବା ଧମକପୂର୍ଣ୍ଣ ଇମେଲ୍ ନେଇ ଓଡ଼ିଶା ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଇଲମ୍ ‘ଏଲ୍ଟିଟିଇ’ ନାଁରେ କୋର୍ଟରେ ବିସ୍ଫୋରଣ ସମ୍ପର୍କିତ ଇ-ମେଲ୍ ଆସିଥିଲା । ଏହି ମେଲ୍ ଆଇଡି ନରଓ୍ବେର ଆଇପି ବା ଇଣ୍ଟରନେଟ୍ ପ୍ରୋଟକଲ୍ ଆଡ୍ରେସ୍ ବ୍ୟବହାର କରି ଖୋଲାଯାଇଛି । ଏ ପ୍ରକାର ଚାଞ୍ଚଲ୍ୟକର ରିପୋର୍ଟ ମାଇକ୍ରୋସଫ୍ଟ ପକ୍ଷରୁ ଓଡ଼ିଶା ପୁଲିସକୁ ଦିଆଯାଇଛି ।
ଟିଏମସିର ଆଇଟି ସେଲ୍ ମୁଖ୍ୟଙ୍କ ଘରେ ଇଡି ଚଢାଉ ପରେ ତେଜିଛି ରାଜନୀତି: ଗର୍ଜିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ତେବେ ପ୍ରକୃତ ଆଇପି ଆଡ୍ରେସ୍କୁ ଅପରାଧୀ ଗୋଷ୍ଠୀ ଲୁଚାଇ ନରଓ୍ବେର ଆଇପି ବ୍ୟବହାର କରି ଏହି ମେଲ୍ ପଠାଇଛନ୍ତି । ଡାର୍କ ଓ୍ବେବ୍ରୁ ମେଲ୍ ଆସିଥିବା ପ୍ରତି ମିନିଟ୍ରେ ଆଇପି ଆଡ୍ରେସ୍ ବଦଳୁଛି । ତେଣୁ ଅପରାଧୀ ଗୋଷ୍ଠୀ ନିକଟରେ ପହଞ୍ଚିବାରେ ବଡ଼ଧରଣର ସମସ୍ୟା ସୃଷ୍ଟି ହୋଇଛି । କଟକ ଜିଲ୍ଲା ଦୌରାଜଜ୍ କୋର୍ଟ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟର ଅଫିସିଆଲ୍ ମେଲ୍ ଆଇଡିକୁ ଗୁରୁବାର ସକାଳେ ବୋମା ବିସ୍ଫୋରଣ ସମ୍ପର୍କିତ ମେଲ୍ ଆସିଥିଲା । ଏହି ମେଲ୍ arundale_kumar@hotmail.comରୁ ଆସିଥିବା ବେଳେ ଏହା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ଯେହେତୁ ଇ-ମେଲ୍ ଖୋଲିବା ପାଇଁ ହଟ୍ମେଲ୍ ଡୋମେନ୍ରେ ପ୍ରସ୍ତୁତ ହୋଇଛି, କ୍ରାଇମବ୍ରାଞ୍ଚ ପକ୍ଷରୁ ମାଇକ୍ରୋସଫ୍ଟକୁ ଚିଠି ଲେଖାଯାଇଥିଲା । ଡାର୍କ ଓ୍ବେବ୍ରେ ଟର୍ ବ୍ରାଉଜର୍ ବ୍ୟବହାର କରି ଏହି ମେଲ୍ ପଠାଯାଇଥିବା ବେଳେ ଭାରତୀୟ ସର୍ଭରକୁ ମେଲ୍ ପହଞ୍ଚିବା ପରେ ଏହାର ପ୍ରକୃତ ଆଇପି ଠାବ କରିବା ସମ୍ଭବପର ହୋଇ ପାରୁନାହିଁ । ଏକ ସୂତ୍ରରୁ ଏହି ସୂଚନା ମିଳିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ନିଜର ପରିଚୟ ଲୁଚାଇବା ଉଦ୍ଦେଶ୍ୟରେ ଅପରାଧୀ ଗୋଷ୍ଠୀ ଡାର୍କ ଓ୍ବେବ୍ ବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି । ସାଧାରଣତଃ ୟୁରୋପୀୟ ଦେଶରେ ଥିବା ସର୍ଭରଗୁଡ଼ିକ ଅର୍ଥ ଲୋଭରେ ଏଭଳି କାମରେ ଲିପ୍ତ ହୋଇଥାନ୍ତି ।
ଅନ୍ୟପଟେ ହାଇକୋର୍ଟ ଓ ଜିଲ୍ଲା କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ମୋଟ ୪ ପ୍ଲାଟୁନ୍ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ଗୋଟିଏ କମ୍ପାନି ସୁରକ୍ଷା ବ୍ୟବସ୍ଥା ହାଇକୋର୍ଟରେ ଥିବା ବେଳେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହାଇକୋର୍ଟରେ ଗୋଟିଏ ଓ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଅତିରିକ୍ତ ଭାବେ ତିନୋଟି ମେଟାଲ୍ ଡିଟେକ୍ଟର ଲଗାଯାଇଛି । ଏଣିକି ହାଇକୋର୍ଟ ଓ ଜିଲ୍ଲା କୋର୍ଟକୁ ପ୍ରବେଶ କରୁଥିବା ସମସ୍ତେ ମେଟାଲ୍ ଡିଟେକ୍ଟରରେ ସ୍କାନ୍ ହୋଇ ଭିତରକୁ ପ୍ରବେଶ କରିବେ । ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
Follow Us