କନକ ବ୍ୟୁରୋ: ସଞ୍ଜ ହେଲେ ରାଜଧାନୀରେ ମାତୁଛନ୍ତି ସଇତାନ । ପୁଲିସ ଆଖିରେ ଧୂଳି ଦେଇ ଘଟାଇ ଚାଲିଛନ୍ତି ଆତଙ୍କରାଜ । ମଞ୍ଚେଶ୍ବର, ଇନଫୋଭ୍ୟାଲି ପରେ ଏବେ ଅଶୋକନଗର ଅଞ୍ଚଳରୁ ଆସିଛି ଲଜ୍ଜିତ କରିଦେବା ଭଳି ଘଟଣା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ, ରାଜଧାନୀର ସୁରକ୍ଷାକୁ ନେଇ ଉଠିଛି ହଜରେ ପ୍ରଶ୍ନ ।
ଗତକାଲି ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକ ଦେଖି ପୁଲିସ୍କୁ ସୂଚନା ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବାବେଳେ ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବ୍ଶୀଘ୍ର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କମିସନର କହିଛନ୍ତି ।
ଖାଲି ଏତିକି ନୁହେଁ ଗତ ଶନିବାର ଦିନ ମଞ୍ଚେଶ୍ବର କେନାଲ୍ ରୋଡ୍ (ସାଇମନ୍ଦିର ପାଖ) ନୂଆ ପୋଲ ପାଖରେ ମଧ୍ୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ଶ୍ରୀରାମନଗରରେ ରହୁଥିବା ଜଣେ ଯୁବତୀ କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଷ୍ଟେସନ୍ ପଟୁ ସେ ଚାଲି ଚାଲି ଘରକୁ ଆସୁଥିବା ବେଳେ ସେଠାରେ ବସିଥିବା ନିଶାସକ୍ତ ଯୁବକମାନେ ତାଙ୍କୁ କମେଣ୍ଟ ମାରିଥିଲେ । ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଏକ ନିଛାଟିଆ ଜାଗାକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଦୌଡ଼ି ଆସିଥିଲେ, ଫଳରେ ସଇତାନମାନେ ସେଠାରୁ ଫେରାର ହୋଇଯାଇଥିଲେ ।
ବଡ଼ କଥା ହେଉଛି, ଏମିତି କୌଣସି ଗୋଟିଏ ଦିନ ନାହିଁ ଯେଉଁଦିନ ଦୁଷ୍କର୍ମର ଖବର ସାମ୍ନାକୁ ଆସୁନି । ପ୍ରତିଦିନ କେଉଁଠୁ ନା କେଉଁଠୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି । ପୁଲିସ ଛାଉଣିରେ ରାଜଧାନୀ ଭୁବନେଶ୍ୱର ରହୁଥିଲେ ବି ଏଭଳି ଘଟଣା ଘଟିଚାଲିଛି । କିନ୍ତୁ ଏ ଦିଗରେ ନା ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି ନା ପୁଲିସ । ତେଣୁ ପ୍ରଶ୍ନ ଉଠୁଛି ପୁଲିସ ପ୍ରଶାସନ କରୁଛି କଣ, ରାଜ୍ୟ ସରକାର କାହିଁକି ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି? ପାଟ୍ରୋଲିଂରେ କାହିଁକି କୋହଳ ହେଉଛି? ଅପରାଧୀ ମାନଙ୍କ ମନରୁ ପୁଲିସର ଭୟ କମି ଯାଉଛି କି?