କନକ ବ୍ୟୁରୋ : ଦିନେ କି ଦୁଇ ଦିନ ନୁହେଁ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ୧୭ ଦିନ ବିତିଲାଣି । ହେଲେ ଏଯାଏଁ ହତ୍ୟାକାରୀର ଟେର୍ ପାଉନି ପୁଲିସ୍ । କଣ ପାଇଁ ହତ୍ୟାକାଣ୍ଡ ଘଟିଲା ତା ଉପରୁ ବି ହଟିନି ପରଦା । ଏପଟେ ପୁଲିସ କହିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତଦନ୍ତ ।
ଦିନ ଗଡ଼ିବା ସହ ଅନେକ ମୋଡ଼ ନେଉଛି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଏହାରି ଭିତରେ ଦିନେ ଦୁଇ ଦିନ ଭିତରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ସଙ୍କେତ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର । ମାମଲାରେ ପୁଲିସ ଏଯାଏଁ ୮୦ରୁ ଅଧିକ ଜଣଙ୍କୁ ଜେରା କରିସାରିଥିବା ବେଳେ ହଜାରେରୁ ଅଧିକ ସିସି କ୍ୟାମେରା ଯାଞ୍ଚ କରିସାରିଲାଣି । ପୂର୍ବରୁ ୨ ପୂର୍ବତନ କର୍ପୋରେଟର ଓ ଛାତ୍ରନେତାଙ୍କୁ ଜେରା କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସହରର ଜଣାଶୁଣା ରାଜନେତାଙ୍କୁ ଉଠାଇ ନେଇ ପଚରାଉଚରା କରିଛି ପୁଲିସ ।
ଏହା ବି ପଢ଼ନ୍ତୁ : କାମରେ ଆସୁନି ମେଗା ଜଳଯୋଗାଣ ପ୍ରକଳ୍ପ; କାରଖାନା ଶୋଷୁଛି ପାଣି, ଲୋକେ ହନ୍ତସନ୍ତ
ହତ୍ୟାକାଣ୍ଡ ପାଇଁ ପୁଲିସ ବିହାର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗରେ ବି ଛାପା ମାରି ଏକାଧିକ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି । ଏପରିକି କିଛି ପୁରୁଣା ହତ୍ୟା ମାମଲାରେ ଜେଲ୍ରେ ଥିବା ଅଭିଯୁକ୍ତ ବି ଏବେ ପୁଲିସ କବଜାରେ । ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ବି ଦିଲ୍ଲୀରୁ ବାନ୍ଧିଛି ପୁଲିସ । ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍ ଜବତ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଦାମୀ ଗାଡ଼ି ଓ ବାଇକ୍ ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି ।